ଦିନିକିଆ ଫର୍ମାଟ୍‌ରେ ସୁପର ଓଭର ଅନାବଶ୍ୟକ : ରସ୍‌ ଟେଲର

ନୂଆଦିଲ୍ଲୀ : ଦିନିକିଆ ଫର୍ମାଟ୍‌ରେ କୌଣସି ମ୍ୟାଚ୍‌ ଟାଏ ହେଲେ ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭରର ବ୍ୟବସ୍ଥା ରହିଛି। ତେବେ ଦିନିକିଆ ଫର୍ମାଟ୍‌ରେ ସୁପର ଓଭରର କୌଣସି ଆବଶ୍ୟକତା ନାହିଁ ବୋଲି ମତ ଦେଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର୍‌ ରସ୍‌ ଟେଲର।

ସୂଚନାଥାଉକି, ଗତବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସମାନ ସଂଖ୍ୟକ ରନ୍ ସ୍କୋର କରିଥିଲେ। ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ଉଭୟ ଦଳ ସମାନ ସଂଖ୍ୟକ ରନ୍‌ ସ୍କୋର କରିବାରୁ ଅଧିକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡକୁ ଚମ୍ପିଆନ୍‌ ଘୋଷଣା କରାଯାଇଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବେଶ୍‌ ସମାଲୋଚନାର ଶରବ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଆଇସିସି ନିଜ ନିୟମରେ ପରିବର୍ତ୍ତନ ଆଣିବା ସହ ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ୍‌ ଟାଏ ହେଲେ ଫଳାଫଳ ନ ବାହାରିବା ଯାଏ ସୁପର ଓଭର ଚାଲିବ ବୋଲି ​‌େ​‌ଘାଷଣା କରିଛି।
ତେବେ ଦିନିକିଆ ଫର୍ମାଟ୍‌ରେ ସୁପର ଓଭରର କୌଣସି ଆବଶ୍ୟକତା ନାହିଁ ବୋଲି ମତ ଦେଇଛନ୍ତି ଟେଲର୍‌। ଯଦି ଦୁଇଟି ଦଳ ୫୦ ଓଭର ଲେଖାଏଁ ଖେଳିବା ପରେ ମ୍ୟାଚ୍‌ ଟାଏ ହୁଏ ତେବେ ଉଭୟ ଦଳକୁ ମିଳିତ ଭାବେ ବିଜୟୀ ଟ୍ରଫି ପ୍ରଦାନ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ଟେଲର୍‌ କହିଛନ୍ତି।

Comments are closed.