୨୦୨୨କୁ ଘୁଞ୍ଚିବ ଟି୨୦ ବିଶ୍ୱକପ୍‍; ଅକ୍ଟୋବରରେ ଆଇପିଏଲ୍‍!

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବାର ଅଛି। ତେବେ ସାରାବିଶ୍ୱରେ କୋଭିଡ୍‍-୧୯ର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ବିଶ୍ୱକପ୍‍ ଚଳିତବର୍ଷ ଆୟୋଜନ କରିବା ଅସମ୍ଭବ ବୋଲି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଅନୁଭବ କରିଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ୨ ବର୍ଷ ଘୁଞ୍ଚାଇ ଏହାକୁ ୨୦୨୨ରେ ଆୟୋଜନ କରିବାକୁ ଆଇସିସି ନିଷ୍ପତ୍ତି ନେଇସାରିଛି। କେବଳ ଔପଚାରିକ ଭାବେ ଏହାର ଘୋଷଣା ବାକିଅଛି। ଗୁରୁବାର ଆଇସିସିର କ୍ଷମତାସମ୍ପନ୍ନ ବୋର୍ଡ ବୈଠକ ଟେଲିକନ୍‍ଫରେନ୍‍ସିଂ ଜରିଆରେ ଅନୁଷ୍ଠିତ ହେବ। ଏଥିରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ୨୦୨୨କୁ ଘୁଞ୍ଚାଇବା ନିଷ୍ପତ୍ତି ଉପରେ ମୋହର ଲାଗିପାରେ। ୨୦୨୧ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଭାରତରେ ନିଶ୍ଚୟ ରହିବ। ପୁଣି ଚଳିତବର୍ଷର ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ୨୦୨୨କୁ ଘୁଞ୍ଚିଲେ; ଚଳିତବର୍ଷର ଅକ୍ଟୋବର-ନଭେମ୍ବରରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଆୟୋଜନ କରିବାକୁ ସଜବାଜ ଆରମ୍ଭ କରିଦେଇଛି ବିସିସିଆଇ। ତେବେ ଏପରି କୌଣସି ନିଷ୍ପତ୍ତି ନିଆ ଯାଇନାହିଁ ବୋଲି ଆଇସିସି ସ୍ପଷ୍ଟୀକରଣ ଦେଇଛି।

ମହାମାରୀ କୋଭିଡ୍‍-୧୯ ଭୂତାଣୁ ସାରାବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କ୍ରିକେଟ୍‌ ସହ ସମସ୍ତ କ୍ରୀଡ଼ା ବାଧାପ୍ରାପ୍ତ ହୋଇଛି। କିଛି କ୍ରୀଡ଼ା ଇଭେଣ୍ଟକୁ ବାତିଲ କରା ଯାଇଥିବା ବେଳେ ଆଉ କିଛି ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି ଏହି ଆଶାରେ ଯେ ବିଶ୍ୱ ଜଲ୍‍ଦି କରୋନାମୁକ୍ତ ହୋଇଯିବ। କ୍ରିକେଟ୍‌ରେ ମଧ୍ୟ ଏହା ଘଟିଛି। ଆଇସିସି ବୋର୍ଡ ବୈଠକରେ ଚଳିତବର୍ଷର ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ୨୦୨୨କୁ ଘୁଞ୍ଚାଇବାର ନିଷ୍ପତ୍ତି ନିଆଯିବାକୁ ଯାଉଥିବା ବେଳେ ଚଳିତବର୍ଷର ଅକ୍ଟୋବର-ନଭେମ୍ବରରେ ଖାଲି ସମୟର ସଦ୍‍ବ୍ୟବହାର କରିବାକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଏବେଠାରୁ ଯୋଜନା କରିବା ଆରମ୍ଭ କଲେଣି। ବିସିସିଆଇ ଉକ୍ତ ସମୟରେ ଆନ୍ତର୍ଜାତିକ କ୍ରିକେଟରଙ୍କୁ ନେଇ ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ୍ ଲିଗ୍‍ ଆଇପିଏଲ୍‍ ଆୟୋଜନ କରିବାକୁ ଯୋଜନା ଆରମ୍ଭ କରିଦେଇଛି। ଅନ୍ୟ କିଛି କ୍ରିକେଟ୍‌ ବୋର୍ଡ ବାତିଲ ହୋଇ ଯାଇଥିବା ଘରୋଇ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ୍‍କୁ ଏହି ସମୟରେ ଆୟୋଜନ କରିବାକୁ ଅନେଇ ରହିଛନ୍ତି। ଆଇସିସି ବୋର୍ଡର ଜଣେ ସଦସ୍ୟ କହିଛନ୍ତି, ଗୁରୁବାର ବୈଠକରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଘୁଞ୍ଚାଇବାର ନିଷ୍ପତ୍ତି ନିଆଯିବାର ବହୁତ ସମ୍ଭାବନା ଅଛି। ତେବେ ଏହାର ଔପଚାରିକ ଘୋଷଣା କରାଯିବ କି ନାହିଁ; ତାହା ପ୍ରଶ୍ନବାଚୀ। ବର୍ତ୍ତମାନ ପରିସ୍ଥିତିରେ ନିର୍ଦ୍ଧାରିତ ତାରିଖରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ଅସମ୍ଭବ। ଏହି ବିଶ୍ୱକପ୍‍କୁ ବର୍ଷେ ଘୁଞ୍ଚାଇଦେଲେ ଅଷ୍ଟ୍ରେଲିଆ କିମ୍ବା ଅନ୍ୟ କୌଣସି କ୍ରିକେଟ୍‌ ବୋର୍ଡ ଏହାର ବିରୋଧ କରିବେ ବୋଲି ଲାଗୁନାହିଁ। ଉକ୍ତ ବୈଠକରେ ଟିଭି ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‍ ସ୍ପୋର୍ଟସର ଯେପରି କ୍ଷତି ନହେବ; ତାହାର ନିଷ୍ପତ୍ତି ମଧ୍ୟ ନିଆଯିବ। କାରଣ ଆଇପିଏଲ୍‍ ସହ ଷ୍ଟାର୍‍ ସ୍ପୋର୍ଟସ ସମସ୍ତ ଆଇସିସି ଇଭେଣ୍ଟ ଓ ଭାରତରେ ହେବାକୁ ଥିବା ସମସ୍ତ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ୍‍ର ପ୍ରସାରଣ ଅଧିକାର ପାଇଛି। ବର୍ତ୍ତମାନ ଆଇସିସି ବୋର୍ଡର ସଦସ୍ୟ ଯାହା ନିଷ୍ପତ୍ତି ନେଇଛନ୍ତି; ତାହା ଅନୁସାରେ ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ବିସିସିଆଇ ଆଇପିଏଲ୍‍ ଆୟୋଜନ କରିବା ପରେ ୨୦୨୧ ଫେବୃୟାରୀ-ମାର୍ଚ୍ଚରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ କରିବ ଏବଂ ସେହିବର୍ଷ ଏପ୍ରିଲ-ମେ’ରେ ଆଇପିଏଲ୍‍ ଆୟୋଜନ କରିବ। ଫଳରେ ୬-୭ ମାସ ମଧ୍ୟରେ ଭାରତରେ ୩ଟି ବଡ଼ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଭାରତ ପାଇଁ ଏହା ସମସ୍ୟା ସୃଷ୍ଟିକରିବ କି ନାହିଁ; ତାହାର ଆଲୋଚନା କରାଯିବ। କରୋନା ସଂକ୍ରମଣ ଯୋଗୁଁ ଆର୍ଥିକ କ୍ଷତି ସହିଥିବା କମ୍ପାନୀମାନେ ୬ ମାସ ମଧ୍ୟରେ ୩ଟି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାୟୋଜନ ଅର୍ଥ ପ୍ରଦାନ କରିବେ କି ନାହିଁ; ତାହା ଚିନ୍ତାର ବିଷୟ।

ଏଣେ ବିସିସିଆଇ ପ୍ରତିଶ୍ରୁତି ଦେଇଛି ଯେ ଭାରତୀୟ କ୍ରିକେଟ୍‌ ଦଳ ଚଳିତବର୍ଷ ଶେଷଆଡ଼କୁ ଟେଷ୍ଟ ସିରିଜ୍‍ ଖେଳିବାକୁ ଅଷ୍ଟ୍ରେଲିଆ ଯିବ ଏବଂ ଆସନ୍ତାବର୍ଷ ପ୍ରାରମ୍ଭରେ ଟେଷ୍ଟ ସିରିଜ୍‍ ଖେଳିବା ପାଇଁ ଇଂଲଣ୍ଡ ଦଳ ଭାରତ ଆସିବ। ଚଳିତବର୍ଷର ଆଇପିଏଲ୍‍ ୨୦୨୨କୁ ଘୁଞ୍ଚିଲେ ମଧ୍ୟ ଅକ୍ଟୋବର-ନଭେମ୍ବରରେ ବିସିସିଆଇ ଆଇପିଏଲ୍‍ ଆୟୋଜନ କରିବା ନିଶ୍ଚିତ ନୁହେଁ। କାରଣ ସେତେବେଳକୁ ବିଶ୍ୱ; ବିଶେଷକରି ଭାରତ କରୋନାମୁକ୍ତ ହୋଇଥିବ କି ନାହିଁ; ତାହା କେହି ଜାଣନ୍ତି ନାହିଁ। ତେଣୁ ସୀମିତ ସଂଖ୍ୟକ ଷ୍ଟାଡିୟମ୍‍ରେ, ବିନା ଦର୍ଶକରେ, ଦୈନିକ ୨ଟି ଲେଖାଏଁ ମ୍ୟାଚ୍‍ ଖେଳାଯାଇ ଆଇପିଏଲ୍‍ ଆୟୋଜନ କରିବାକୁ ବିସିିସିଆଇ ବିଚାର କରୁଛି। ତେବେ ଆଇପିଏଲ୍‍ ଖେଳିବାକୁ ଆସୁଥିବା ବିଦେଶୀ ଖେଳାଳି ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‍ରେ ରହିବାକୁ ରାଜି ହେବେନାହିଁ। ସମସ୍ତ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପଡ଼ିବ।

Comments are closed.