ଆଜି ୩ୟ ଦିନିକିଆ, ସମ୍ମାନ ରକ୍ଷା ଲକ୍ଷ୍ୟରେ ଭାରତ

ଦୋହା: ଘରୋଇ ବାଂଲାଦେଶ ବିପକ୍ଷରେ ଦିନିକିଆ ଶୃଙ୍ଖଳା ହାରିବା ପରେ ଚାପରେ ରହିଥିବା ଭାରତୀୟ କ୍ରିକେଟ ଦଳ ଶନିବାର ଅନ୍ତିମ ମ୍ୟାଚ ଖେଳିବ। ଚିଟ୍ଟାଗଙ୍ଗର ଦିବାରାତ୍ର ବିଶିଷ୍ଟ ଉକ୍ତ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ଭାରତ ପାଇଁ ବଡ ସମ୍ମାନର ପ୍ରଶ୍ନ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ବାଂଲାଦେଶ ୨-୦ରେ ଜିତି ସାରିଥିବାବେଳେ ଏବେ ମୂଳପୋଚ୍ଛ ସହ ଇତିହାସ ରଚିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶୃଙ୍ଖଳା ହାରି ସାରିଥିବା ଭାରତ ଶାନ୍ତ୍ବନାମୂଳକ ବିଜୟ ସହ ସମ୍ମାନ ରକ୍ଷା ଲକ୍ଷ୍ୟ ନେଇ ଖେଳିବ। ଦିନିକିଆ ବିଶ୍ବକପ ଆଉ ୧୦ ମାସ ରହିଥିବାବେଳେ ଭାରତୀୟ ଦଳର ପ୍ରଦର୍ଶନ ଓ ଖେଳାଳି ପରିବର୍ତ୍ତନ ଆଭିମୁଖ୍ୟକୁ ଅସ୍ପଷ୍ଟ କରିଛି। ଚାପରେ ଥିବା ଭାରତୀୟ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବ ବହନ କରିବ। ପ୍ରଥମ ଦୁଇ ମ୍ୟାଚରେ ବିଫଳ ହୋଇଥିବା ଭାରତୀୟ ତାରକା ଖେଳାଳିଙ୍କ ଉପରେ ଉକ୍ତ ମ୍ୟାଚରେ ନଜର ରହିବ।
ଭାରତ ପ୍ରଥମ ଦିନିକିଆରେ ୧ ୱିକେଟ ଓ ଦ୍ବିତୀୟ ଦିନିକିଆରେ ୫ରନରେ ପରାଜିତ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଆହତ ହୋଇ ଅନ୍ତିମ ଦିନିକିଆରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଶିଖର ଧାୱନ ଅଧିନାୟକ ଦାୟିତ୍ବ ତୁଲାଇବେ। ଦୁଇ ମ୍ୟାଚରେ ଭାରତୀୟ ଶୀର୍ଷଭାଗ ବ୍ୟାଟ୍ସମ୍ୟାନ ବିଫଳ ହୋଇଛନ୍ତି। ଶିଖର ଧାୱନ ଦୁଇଟି ମ୍ୟାଚରୁ ୧୫ ବିରାଟ କୋହଲି ୧୪, , ରୋହିତ ଶର୍ମା ୭୮ରନ କରିଛନ୍ତି। ରୋହିତ ଆହତ ହୋଇ ବାଦ ପଡିଥିବାରୁ ଧୱାନ ଓ ବିରାଟଙ୍କ ପାଇଁ ୩ୟ ଦିନିକିଆ ଗୁରୁତ୍ବପୂର୍ଣ୍ଣ। ମଧ୍ୟଭାଗରେ ଶ୍ରେୟାସ ଆୟର ଗୋଟିଏ ଅର୍ଦ୍ଧଶତକ ସହ ୧୦୬ରନ ଓ ଲୋକେଶ ରାହୁଲ ଗୋଟିଏ ଅର୍ଦ୍ଧଶତକ ସହ ୮୮ରନ କରିଛନ୍ତି। ଅଲରାଉଣ୍ଡର ଭାବେ ଖେଳୁଥିବା ୱାଶିଂଟନ ସୁନ୍ଦର ବୋଲିଂରେ ୫ଟି ୱିକେଟ ନେଇଥିଲେ ମଧ୍ୟ ବ୍ୟାଟିଂରେ ଉପଯୋଗୀ ସାବ୍ୟସ୍ତ ହୋଇନାହାନ୍ତି। ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସିରାଜ, ଦୀପକ ଚହର , ସାର୍ଦୁଳ ଠାକୁର, ଉମ୍ରାନ ମଲ୍ଲିକ, କୁଳଦୀପ୍ ସେନ ରହିଥିବାବେଳେ ସେଭଳି ଉଲ୍ଲେ୍ଖନୀୟ ପ୍ରଦର୍ଶନ କରିପାରିନାହାନ୍ତି। ଚହର ଓ କୁଳଦୀପ୍ ସେନ ଆହତ ହୋଇ ବାଦ୍ ପହିଛନ୍ତି। ତାଙ୍କ ସ୍ଥାନରେ ସ୍ପିନର କୁଳଦୀପ ଯାଦବ ସାମିଲ ହୋଇଛନ୍ତି। କୁଳଦୀପ୍ ଯାଦବ ଶେଷ ଦିନିକିଆରେ ଖେଳିବା ନିଶ୍ଚିତ ମନେ କରାଯାଉଛି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ସ୍ଥାନରେ ଇଷନ କିଷନ ଖେଳିବା ସମ୍ଭାବନା ରହିଛି। ସାକିବ୍ ଉଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ଉଭୟ ବ୍ୟାଟିଂ ଓ ବୋଲିଂରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଛି। ପ୍ରଥମ ଦିନିକିଆରେ ଦଳ ଭାରତକୁ କମ୍ ସ୍କୋରରେ ରୋକିବା ପରେ େଶଷ ୱିକେଟରେ ମେହଦୀ ହାସନ ମିରାଜଙ୍କ ଲଢୁଆ ବ୍ୟାଟିଂ ଦଳକୁ ମ୍ୟାଚ ଜିତାଇଥିଲା। ଦ୍ବିତୀୟ ଦିନିକିଆରେ ମଧ୍ୟ ଦଳ ବ୍ୟାଟିଂରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ବଡ ସ୍କୋର କରିପାରିଥିଲା। ମିରାଜ ଶତକ ଅର୍ଜନ କରି ଦଳକୁ ବଡ ସ୍କୋରରେ ପହଞ୍ଚାଇଥିଲେ। ମିରାଜ ୨ଟି ମ୍ୟାଚରୁ ଗୋଟିଏ ଶତକ ସହ ୧୩୮ ଓ ମହମ୍ମଦୁଲ୍ଲା ଗୋଟିଏ ଅର୍ଦ୍ଧଶତକ ସହ ୯୧ରନ କରିଛନ୍ତି।
Comments are closed.