ଟ୍ବେଣ୍ଟି୨୦ ବିଶ୍ବକପ୍‌ : ପ୍ରସିଦ୍ଧ କୃଷ୍ଣଙ୍କ ଉପରେ କୋହଲିଙ୍କ ନଜର

ଇନ୍ଦୋର : ଅଷ୍ଟ୍ରେଲିଆାରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍‌ ଦଳରେ କର୍ଣ୍ଣାଟକର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ସୁଯୋଗ ମିଳିପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି।

ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍‌ ଦଳରେ ପ୍ରସିଦ୍ଧ କୃଷ୍ଣଙ୍କୁ ସ୍ଥାନ ମିଳିପାରେ। ସେ ଘରୋଇ କ୍ରିକେଟ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରି ଆସୁଥିବାରୁ ତାଙ୍କ ଉପରେ ଦଳୀୟ ମ୍ୟାନେଜମେଣ୍ଟର ନଜର ରହିଛି। ସୂଚନାଥାଉକି କୃଷ୍ଣ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍)ରେ କଲକାତା ନାଇଟ୍‌ ରାଇଡ୍‌ର୍ସରେ ସାମିଲ ଅଛନ୍ତି।

ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିପାରେ ବୋଲି କୋହଲି ସୂଚନା ଦେବା ପରେ ତାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ନିମନ୍ତେ ଭାରତୀୟ ଦଳରେ ସାମିଲ କରାଯାଇ ପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ପରାଜିତ କରିବା ସଂପର୍କରେ ମତ ଦେଇ କୋହଲି କହିଥିଲେ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି। ଯୁବ ବୋଲର ନବଦୀପ ସୈନି ଏହି ମ୍ୟାଚ୍‌ରେ ୨ଟି ୱିକେଟ୍ ହାସଲ କରିଥିବା ବେଳେ କୋହଲି ତାଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି। ସୈନି ଦିନିକିଆରେ ଭଲ ପ୍ରଦର୍ଶନ କରୁଥିବା ବେଳେ ବର୍ତ୍ତମାନ ଟ୍ବେଣ୍ଟି୨୦ରେ ମଧ୍ୟ ବେଶ୍‌ ଉଚ୍ଚକୋଟିର ପ୍ରଦର୍ଶନ କରୁଥିବା କୋହଲି ମତ ଦେଇଥିଲେ। ଭାରତୀୟ ଦଳରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା, ସାର୍ଦ୍ଦୁଳ ଠାକୁର ପ୍ରମୁଖ ସୈନିଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେଉଥିବା ସେ କହିଥିଲେ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ ଅଧିନାୟକ ଲସିଥ୍‌ ମାଲିଙ୍ଗା ନିଜ ପ୍ରତିକ୍ରିୟାରେ କହିଥିଲେ ଦଳ ଆଉ ଅଧିକ ୨୫ ରନ୍‌ କରିବା ଆବଶ୍ୟକ ଥିଲା। ଶ୍ରୀଲଙ୍କା ଯଦି ୧୬୦ ରନ୍‌ କରିବାରେ ସକ୍ଷମ ହୋଇଥାନ୍ତା ତେବେ ମ୍ୟାଚ୍‌ର ଫଳାଫଳ ହୁଏତ ଭିନ୍ନ ହୋଇଥାନ୍ତା। ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ଭାବେ ବିବେଚିତ ନବଦୀପ ସୈନି କହିଥିଲେ ଦୀର୍ଘଦିନ ପରେ ଟ୍ବେଣ୍ଟି୨୦ ଦଳକୁ ଫେରିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ବିଶ୍ବାସ ରହିଥିଲା। ଏହି ବିଶ୍ବାସକୁ ସାକାର ରୂପ ଦେଇଥିବାରୁ ସେ ଖୁସି ଅଛନ୍ତି।

Comments are closed.