ୱେଲିଙ୍ଗଟନ୍ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ନିମନ୍ତେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ଘୋଷିତ ହୋଇଛି। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି୨୦ ସିରିଜ୍ରୁ ଆଘାତଜନିତ କାରଣରୁ ବାଦ୍ ପଡ଼ିଥିବା ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍ ୱିଲିୟମସନ୍ ଫିଟ୍ ହୋଇ ଟେଷ୍ଟ ଦଳକୁ ଫେରିଛନ୍ତି। ୱିଲିୟମସନ୍ଙ୍କ ବ୍ୟତୀତ ଟେଷ୍ଟ ଦଳରେ ଦ୍ରୁତ ବୋଲର ଲୋକି ଫର୍ଗୁସନ୍ଙ୍କୁ ସାମିଲ କରାଯାଇଛି।
ଦଳ ଘୋଷଣା କରି ନ୍ୟୁଜିଲାଣ୍ଡର ମନୋନୟନକାରୀ ଗାଭିନ୍ ଲାର୍ସେନ୍ କହିଛନ୍ତି ୱିଲିୟମସନ୍ ଦୁଇସପ୍ତାହ ପାଇଁ କ୍ରିକେଟ୍ରୁ ଦୂରେଇ ରହିଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ରୂପେ ଫିଟ୍ ଥିବାରୁ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ସେହିପରି ଦଳରେ ଲେଗ୍ ସ୍ପିନର ଟଡ୍ ଆଷ୍ଟଲେଙ୍କୁ ସାମିଲ କରାଯାଇଥିବା ବେଳେ ସ୍ପିନର ୱିଲ୍ ସମରଭିଲେ ଓ ଆଜଜ୍ ପଟେଲ୍ଙ୍କୁ ବାଦ୍ ଦିଆଯାଇଛି। ଘରୋଇ କ୍ରିକେଟ୍ରେ ଲୋକି ଫର୍ଗୁସନ୍ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଥିବାରୁ ତାଙ୍କୁ ଟେଷ୍ଟ ଦଳରେ ନୂଆ ମୁହଁ ଭାବେ ସାମିଲ କରାଯାଇଛି। ଦୁଇ ଦଳ ବେଶ୍ ଶକ୍ତିଶାଳୀ ଥିବାରୁ ଟେଷ୍ଟ ସିରିଜ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତା ୨୧ରୁ ଖେଳାଯିବ।
ନ୍ୟୁଜିଲାଣ୍ଡ ଦଳ : କେନ୍ ୱିଲିୟମସନ୍ (ଅଧିନାୟକ), ଟଡ୍ ଆଷ୍ଟଲେ, ଟମ୍ ବ୍ଲୁଣ୍ଡେଲ୍, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି ଗ୍ରାଣ୍ଡହୋମ୍, ଲୋକି ଫର୍ଗୁସନ୍, ମାଟ୍ ହେନେରି, ଟମ୍ ଲାଥାମ୍, ନିକୋଲ୍ସ, ଜିତ୍ ରାଭାଲ୍, ସାଣ୍ଟ୍ନର, ସାଉଦି, ରସ୍ ଟେଲର, ନିଲ୍ ୱାଗନର୍ ଓ ୱାଟଲିଙ୍ଗ୍।