ଫଲୋଅନ୍‌ ଦ୍ବାରରେ ଓଡ଼ିଶା

0

କଟକ : ରାଜକୋଟରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍‌ବିହାର ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିପକ୍ଷରେ ଘରୋଇ ସୌରାଷ୍ଟ୍ର ଦଳର ପ୍ରାଧାନ୍ୟ ଅବ୍ୟାହତ ରହିଛି। ସୌରାଷ୍ଟ୍ର ପ୍ରଥମ ଇନିଂସରେ ବିଶାଳ ୫୦୫ ରନ୍‌ ଛିଡ଼ାକରିବା ପରେ ଓଡ଼ିଶା ଫଲୋଅନ୍‌ ଆଡ଼କୁ ଅଗ୍ରସର ହେଉଛି। ଓପ୍‌ନର ତଥା ଅଧିନାୟକ ସ୍ବସ୍ତିକ ସାମଲ ଶତକ ହାସଲ କରିବା ସତ୍ତ୍ବେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଓଡ଼ିଶା ସଙ୍କଟରେ ପଡ଼ିଯାଇଛି। ତେବେ ଏହି ମ୍ୟାଚ୍‌କୁ ଡ୍ର ରଖିବାର ସୁଯୋଗ ଓଡ଼ିଶା ନିକଟରେ ରହିଛି। ଗୁରୁବାର ହେଉଛି ମ୍ୟାଚ୍‌ର ୪ର୍ଥ ତଥା ଅନ୍ତିମ ଦିବସ। ଏଲିଟ୍ ଗ୍ରୁପ୍ ‘ସି’ର ଏହି ମ୍ୟାଚ୍‌ରେ ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର୍ ୫୦୫ ରନ୍‌ ଜବାବରେ ଓଡ଼ିଶା ୩ୟ ଦିନ ଖେଳ ଶେଷସୁଦ୍ଧା ୭ ୱିକେଟ ହରାଇ ୨୧୯ ରନ୍ କରିପାରିଛି। ହାତରେ ଶେଷ ୩ଟି ୱିକେଟ ବାକିଥାଇ ଓଡ଼ିଶା ଏବେ ୨୮୬ ରନ୍ ପଛରେ ରହିଛି।
୨ୟ ଦିନ ଶେଷରେ ଓଡ଼ିଶା କୌଣସି ୱିକେଟ ନ ହରାଇ ୨୫ ରନ୍ କରିଥିଲା। ୩ୟ ଦିନରେ ଓଡ଼ିଶାର ଓପ୍‌ନିଂ ଯୋଡ଼ି ସ୍କୋର୍‌କୁ ୬୦ ରନ୍‌ରେ ପହଞ୍ଚାଇବା ପରେ ବିନୀତ ମହାନ୍ତି ୨୨ ରନ୍‌କରି ବିଦାୟ ନେଇଥିଲେ। ପରେ ସ୍ବସ୍ତିକଙ୍କ ସହ ରଘୁନାଥ ମଲ୍ଲ ସ୍କୋରକୁ ୧୨୨ ରନ୍‌ରେ ପହଞ୍ଚାଇଥିଲେ। ହେଲେ ଏହାପରେ ଓଡ଼ିଶା ବିପର୍ଯ୍ୟୟ ଭୋଗି ୬୪ ରନ୍‌ରେ ୬ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ପହଞ୍ଚି ଯାଇଥିଲା। ରଘୁନାଥ ୧୮ ରନ୍ କରିଥିଲେ। ଅନୀଲ ପରିଡ଼ା ଓ ସୌମ୍ୟା କୁମାର ୬ ରନ୍ ଲେଖାଏଁ ଏବଂ ଆୟୁଷ ନାୟକ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ସ୍ବସ୍ତିକ ସାମଲ ଦର୍ଶନୀୟ ବ୍ୟାଟିଂକରି ୨୩ଟି ଚୌକା ସହ ୧୩୨ ରନ୍‌କରି ଆଉଟ ହୋଇଥିଲେ। ଶିବାଶିଷ ସାହୁ ୧ ରନ୍ କରିଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ କୁନାଲ ମଲ୍ଲିକ ୨୬ ଓ ମିନାଲ ପରିଡ଼ା ୭ ରନ୍‌କରି ଅପରାଜିତ ଅଛନ୍ତି। ଦେବ ଦାଣ୍ଡ ୩ଟି ଓ ରାହୁଲ ଭାଙ୍କାନି ୨ଟି ୱିକେଟ ନେଇଛନ୍ତି।

Leave A Reply