ଲୋକପ୍ରିୟତାରେ କୋହଲିଙ୍କୁ ପଛରେ ପକାଇଲେ ଧୋନି

0

ନୂଆଦିଲ୍ଲୀ : କ୍ରିକେଟ ଜୀବନର ଅପରାହ୍‍ଣରେ ପହଞ୍ଚିବା ସତ୍ତ୍ବେ ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଲୋକପ୍ରିୟତା କମ୍‍ ହୋଇନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ରେ ଧୋନିଙ୍କର ଧିମା ବ୍ୟାଟିଂ ଯୋଗୁଁ ତାଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିଲେ ହେଁ ଏହା ତାଙ୍କ ଲୋକପ୍ରିୟତାରେ କୌଣସି ଆଞ୍ଚ ଆଣି ପାରିନାହିଁ। ଏବେ ବି ମହେନ୍ଦ୍ର ସିଂହ ଧୋନି ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ତାରକା। ଏହି କ୍ରମରେ ଭାରତର ସବୁଠାରୁ ଧନୀ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ସଫଳତମ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଧୋନି ପଛରେ ପକାଇ ଦେଇଛନ୍ତି।
ନିକଟରେ ବ୍ରିଟେନ୍‍ର ୟୁଗଭ୍‍.କୋ. ୟୁକେ ୱେବ୍‍ସାଇଟ୍‍ ପକ୍ଷରୁ ଭାରତରେ ସର୍ବାଧିକ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କର ଏକ ତାଲିକା ପ୍ରକାଶ କରାଯାଇଛି। ଏହି ୱେବ୍‍ସାଇଟ୍‍ ପକ୍ଷରୁ ଅନ୍‍ଲାଇନ୍‍ ଭୋଟିଂ ମାଧ୍ୟମରେ ୪୦ ଲକ୍ଷ ଭାରତୀୟଙ୍କଠାରୁ ମତ ନିଆ ଯାଇଥିଲା। ଏହା ଅନୁସାରେ, ବିରାଟ କୋହଲି ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି ଧୋନି। ଧୋନିଙ୍କୁ ସର୍ବାଧିକ ୭.୭ ପ୍ରତିଶତ ଭୋଟ୍‍ ମିଳିଥିବା ବେଳେ ତାଙ୍କ ପଛରେ ଥିବା ସଚିନ ତେନ୍ଦୁଲକରଙ୍କୁ ୬.୮ ପ୍ରତିଶତ ଭୋଟ୍‍ ମିଳିଛି। ଅନ୍ୟପକ୍ଷରେ କୋହଲିଙ୍କୁ ମାତ୍ର ୪.୮ ପ୍ରତିଶତ ଭୋଟ୍‍ ମିଳିଛି। କେବଳ ସେତିକି ନୁହେଁ, ଲୋକପ୍ରିୟତା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଧୋନି ଭାରତରେ ୨ୟ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ; ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୭ରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିଲା। କିଛିଦିନ ତଳେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ରେ ୪ର୍ଥ ଭାରତୀୟ ଭାବେ ଧୋନି ୧୦ ହଜାର ରନ୍‍ ସଂଗ୍ରହ କରିଛନ୍ତି। ଧୋନି ହେଉଛନ୍ତି ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ। ଧୋନିଙ୍କ ନେତୃତ୍ୱରେ ଭାରତ ୨୭ଟି ଟେଷ୍ଟମ୍ୟାଚ୍‍ ଜିତିଛି।
ଧୋନିଙ୍କ ନେତୃତ୍ୱରେ ହିଁ ୨୦୦୯ରେ ପ୍ରଥମଥର ପାଇଁ ଭାରତ ଆଇସିସି ଟେଷ୍ଟ ଦଳ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିଥିଲା। ଧୋନି ଏବେ ମଧ୍ୟ ଭାରତ ପାଇଁ ଟ୍ୱେଣ୍ଟି୨୦ ଓ ଦିନିକିଆ କ୍ରିକେଟ ଖେଳୁଥିବାରୁ ସଚିନ୍‍ଙ୍କଠାରୁ ସେ ଅଧିକ ଲୋକପ୍ରିୟ। କେବଳ ଭାରତୀୟ କ୍ରିକେଟର ନୁହନ୍ତି; ବିଦେଶର ଫୁଟ୍‍ବଲ ତାରକାମାନେ ମଧ୍ୟ ଭାରତରେ ବେଶ୍‍ ଲୋକପ୍ରିୟ। ପର୍ତ୍ତୁଗାଲ୍‍ର ତାରକା ଫୁଟ୍‍ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‍ଡୋ ୨.୬୦ ପ୍ରତିଶତ ଭୋଟ୍‍ ପାଇଥିବା ବେଳେ ଆର୍ଜେଣ୍ଟିନାର ଲିଓନେଲ ମେସି ୨.୦ ପ୍ରତିଶତ ଭୋଟ୍‍ ପାଇଛନ୍ତି। ଏକ ଦଶନ୍ଧି ହେଲା ଫୁଟ୍‍ବଲରୁ ସନ୍ନ୍ୟାସ ନେଇଥିଲେ ହେଁ ଇଂଲଣ୍ଡର ଡେଭିଡ୍‍ ବେକ୍‍ହାମ୍‍ଙ୍କୁ ୧.୬୦ ପ୍ରତିଶତ ଭୋଟ୍‍ ମିଳିଛି।

Leave A Reply