ଅଭ୍ୟାସ ମ୍ୟାଚ୍‍ : ଭାରତ ୩୯୫ରେ ଅଲ୍‍ଆଉଟ

0

ଚେମ୍‍ସଫୋର୍ଡ  : ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‍ ପୂର୍ବରୁ ଏକମାତ୍ର ଅଭ୍ୟାସ ମ୍ୟାଚ୍‍ରେ ଭାରତର ଉପର ଅର୍ଡର ବିଫଳ ହୋଇଥିଲେ ହେଁ ମଧ୍ୟକ୍ରମ ଲଢ଼ୁଆ ବ୍ୟାଟିଂ କରିପାରିଛି। ଫଳରେ ଗୁରୁବାର ୨ୟ ଦିନରେ ଭାରତ ପ୍ରଥମ ଇନିଂସରେ ୩୯୫ ରନ୍‍କରି ଅଲ୍‍ଆଉଟ ହୋଇଯାଇଛି। ପରେ ଏସେକ୍ସ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଏସେକ୍ସ ୬୯ ରନ୍‍କରି ୨ଟି ୱିକେଟ ହରାଇଛି। ନିକ୍‍ ବ୍ରାଉନ୍‍ ୧୧ ଓ ବରୁଣ ଚୋପ୍ରା ୧୬ ରନ୍‍କରି ଆଉଟ ହୋଇଛନ୍ତି। ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
୪ ଜଣ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ଅର୍ଦ୍ଧଶତକ ମାରିବାରୁ ପ୍ରଥମଦିନର ଷ୍ଟମ୍ପ୍‍ ଅପସାରଣ ବେଳକୁ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୨୨ ରନ୍‍ କରିଥିଲା। ଗୁରୁବାର ୨ୟ ଦିନରେ ଭାରତ ଆଉ ୭୩ ରନ୍‍ ଯୋଗକରି ବାକି ୪ଟି ୱିକେଟ ହରାଇଥିଲା। ୨ୟ ଦିନରେ ଦଳର ୫ମ ବ୍ୟାଟ୍‍ସମ୍ୟାନ ଭାବେ ହାର୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ମାରିଥିଲେ। ୭ମ ୱିକେଟ ପାଇଁ ଦିନେଶ କାର୍ତ୍ତିକ ଓ ହାର୍ଦିକ ପାଣ୍ଡ୍ୟା ୬୧ ରନ୍‍ ଯୋଡ଼ିଥିଲେ। କାର୍ତ୍ତିକ ତାଙ୍କ ପୂର୍ବଦିନର ସ୍କୋର୍‍ ୮୨ ରନ୍‍ରେ ଆଉ କିଛି ଯୋଗକରିବା ପୂର୍ବରୁ ଆଉଟ ହୋଇଥିଲେ। ପରେ କରୁଣ ନାୟାର ୪ ରନ୍‍କରି ଆଉଟ ହୋଇ ଯାଇଥିଲେ। ରବୀନ୍ଦ୍ର ଜାଡ଼େଜା ୧୫ ରନ୍‍ କରିଥିବା ବେଳେ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଋଷଭ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂକରି ମାତ୍ର ୨୬ ବଲ୍‍ରୁ ୬ଟି ଚୌକା ସହ ୩୪ ରନ୍‍କରି ଅପରାଜିତ ରହିଥିଲେ। ହାର୍ଦିକ ପାଣ୍ଡ୍ୟା ୮ଟି ଚୌକା ସହ ୫୧ ରନ୍‍ କରିଥିଲେ। ପଲ୍‍ ୱାଲ୍‍ଟର ୪ଟି ଓ ମ୍ୟାଟ୍‍ କୋଲ୍‍ସ ୨ଟି ୱିକେଟ ନେଇଥିଲେ। ପୂର୍ବରୁ ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଏହା ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ଓପ୍‍ନର ଶିଖର ଧାୱନ ପ୍ରଥମ ବଲ୍‍ରେ ଆଉଟ ହୋଇଥିବା ବେଳେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ୧ ରନ୍‍କରି ବିଦାୟ ନେଇଥିଲେ। ପରେ ଅନ୍ୟତମ ଟେଷ୍ଟ ବିଶେଷଜ୍ଞ ତଥା ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୧୭ ରନ୍‍କରି ଆଉଟହେବା ଭାରତ ପାଇଁ ଶକ୍ତ ଧକ୍କା ଥିଲା। ଭାରତ ୪୪ ରନ୍‍ରେ ୩ ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ହରାଇ ଚିନ୍ତାରେ ଥିଲା। ତେବେ ୪ର୍ଥ ୱିକେଟ ପାଇଁ ଓପ୍‍ନର ମୁରଲୀ ବିଜୟ ଓ ଅଧିନାୟକ ବିରାଟ କୋହଲି ୯୦ ରନ୍‍ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ବିଜୟ ୭ଟି ଚୌକା ସହ ୫୩ ରନ୍‍କରି ଆଉଟ ହୋଇଥିଲେ। କୋହଲି ୯୩ ବଲ୍‍ରୁ ୧୨ଟି ଚୌକା ସହ ୬୩ ରନ୍‍ କରିଥିଲେ। କେ.ଏଲ୍‍. ରାହୁଲ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହେବାରୁ ଭାରତ ପ୍ରଭାବଶାଳୀ ସ୍କୋର୍‍ କରି ପାରିଥିଲା। ରାହୁଲ-କାର୍ତ୍ତିକ ୬ଷ୍ଠ ୱିକେଟ ପାଇଁ ୧୧୪ ରନ୍‍ ଯୋଡ଼ିଥିଲେ। ରାହୁଲ ଆକର୍ଷଣୀୟ ବ୍ୟାଟିଂକରି ୧୨ଟି ଚୌକା ସହ ୫୮ ରନ୍‍କରି ଆଉଟ ହୋଇଥିଲେ। ଏହି ଅର୍ଦ୍ଧଶତକ ହାସଲକରି ରାହୁଲ ପ୍ରଥମ ଟେଷ୍ଟରେ ଖେଳିବା ପାଇଁ ଦାବି ଉପସ୍ଥାପନ କରି ପାରିଛନ୍ତି।

Leave A Reply