ମହମ୍ମଦ ସାମିଙ୍କୁ ସମନ

0

କଲକାତା : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସ୍ଥାନୀୟ ଏକ କୋର୍ଟ ସମନ୍‍ ଜାରି କରିଥିବା ଜଣାପଡ଼ିଛି। ସାମିଙ୍କ ପତ୍ନୀ ହସିନ୍‍ ଜାହାଁନ୍‍ଙ୍କ ଅଭିଯୋଗକ୍ରମେ କୋର୍ଟ ଏହି ସମନ୍‍ ଜାରି କରିଛନ୍ତି। ହସିନ୍‍ଙ୍କୁ ସାମି ଯେଉଁ ୧ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଥିଲେ ତାହା ବାଉନ୍ସ ହୋଇଥିବା ଦର୍ଶାଇ ହସିନ୍‍ କୋର୍ଟରେ ମାମଲା ରୁଜୁ କରିବା ପରେ ଏହି ସମନ୍‍ ଜାରି ହୋଇଛି। ସୂଚନାଥାଉକି ଗତ ମାର୍ଚ୍ଚ ୮ରେ ହସିନ୍‍ ପାରିବାରିକ ହିଂସା ସମେତ ଅନ୍ୟାନ୍ୟ ଅଭିଯୋଗ ଆଣି ସାମିଙ୍କ ସହ ୫ଜଣଙ୍କ ନାମରେ ପୁଲିସରେ ଅଭିଯୋଗ କରିଥିଲେ। ଏଥିସହ କୋର୍ଟରେ ମଧ୍ୟ ହସିନ୍‍ ଭରଣପୋଷଣ ପାଇଁ ମାମଲା ରୁଜୁ କରିଛନ୍ତି। ସାମି ତାଙ୍କୁ ପ୍ରତିମାସରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେବାକୁ ହସିନ୍‍ ନିବେଦନ କରିଛନ୍ତି। ହସିନ୍‍ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ। ସାମିଙ୍କ ପଛରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ତାଙ୍କୁ ଗିରଫ କରାଯାଉ ନାହିଁ ବୋଲି ହସିନ୍‍ ଅଭିଯୋଗ କରିଥିଲେ। ସେହିପରି ସାମି ପାକିସ୍ତାନୀ ମହିଳା ଅଲିସାବାଙ୍କ ଠାରୁ ଟଙ୍କା ନେଇ ମ୍ୟାଚ୍‍ ଫିକ୍ସିଂ କରୁଥିବା ଅଭିଯୋଗ ଆଣି ହସିନ୍‍ ବିସିସିଆଇର ଦ୍ୱାରସ୍ଥ ହୋଇଥିଲେ। ତେବେ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥାର ଅନୁସନ୍ଧାନରୁ ସାମିଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ କ୍ଲିନ୍‍ ଚିଟ୍‍ ପ୍ରଦାନ କରାଯାଇଥିଲା।

Leave A Reply