କରୋନା ଭୟରେ କାନ୍ଧ ଦେଲେନି ସାହିଭାଇ, ଖୁଣ୍ଟୁଣୀର କିଛି ଉତ୍ସାହୀ ଯୁବକ କଲେ ଶବ ସତ୍କାର

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ଏବେ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଭାବେ ରହିଅଛି। କରୋନା ପାଇଁ ଲୋକମାନେ ଘରୁ ମଧ୍ୟ ବାହାରୁ ନାହାନ୍ତି। ପ୍ରଶାସନ ମଧ୍ୟ କଡ଼ା ନଜର ମଧ୍ୟରେ ରଖିଛି ଖୁଣ୍ଟୁଣୀକୁ। ଏଭଳି ଏକ ପରିସ୍ଥିତିରେ ଖୁଣ୍ଟୁଣୀ ଡାବର ସାହିରେ ସନ୍ତିଆ ବେହେରା(୫୫) ନାମକ ବ୍ୟକ୍ତିର ମୃତ୍ୟୁ ହୋଇଥିଲା। ହେଲେ ସାହିର କିଛି ଲୋକ କରୋନା ଭାବି ଶବକୁ ଛୁଇଁ ନଥିଲେ। ସ୍ତ୍ରୀ ମଧ୍ୟ ଅନନ୍ୟେପାୟ ହୋଇଥିଲେ। ଦୀର୍ଘ ସମୟ ପର୍ୟ୍ୟନ୍ତ ଶବ ପଡ଼ି ରହିଥିଲା ସାହିରେ। ସହଜେ ସାହିଟି ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନେଇ ଗଢ଼ି ଉଠିଛି। ସଚେତନତାର ଅଭାବ ଓ ଅଶିକ୍ଷିତ ପାଇଁ ଲୋକମାନଙ୍କ ମଧ୍ୟରେ ଆସ୍ଥା ଭରସା କମ ଥିବା ବେଳେ ଭୟର ବାତାବରଣ ଅଧିକ ରହିଛି ଖାସ କରୋନା ପାଇଁ। ଏ ସମ୍ପର୍କରେ ଖବର ପାଇ ଖୁଣ୍ଟୁଣୀର ଯୁବ ସଂଗଠକ ନୃସିଂହ ଚରଣ ସାହୁ କିଛି ଯୁବକଙ୍କୁ ଧରି ବାହାରିଥିଲେ ଡାବର ସାହିକୁ। ବ୍ଲକ ପ୍ରଶାସନ ସହ ଯୋଗାଯୋଗରେ ରହି ସେମାନେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶବକୁ ନେଇ ସତ୍କାର କରିଥିଲେ। ସ୍ଥାନୀୟ ୱାର୍ଡ଼ ସଭ୍ୟ ସନ୍ତୋଷ ସାହୁ, ରଞନ ବେହେରା, ଦିଲ୍ଲୀପ ରାଉଳ ପ୍ରମୁଖ ଉପସ୍ଥିତ ରହି ଶବ ସତ୍କାର କରିବା ସହ କରୋନା ସମୟରେ ମାନବିକତାର ଭାବକୁ ଉଜ୍ଜୀବିତ କରି ଅନ୍ୟମାନଙ୍କ ମଧ୍ୟରେ ଦୁଃସମୟରେ ଅସଲ ସେବାର ଭାବ ଛାଡ଼ି ଯାଇଛନ୍ତି।

Comments are closed.