ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ, ୧୦ ମୃତ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଭାଦୋହି ଜିଲା ରୋଟହା ଗ୍ରାମରେ ଶନିବାର ଜଣେ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟି ଅନ୍ୟୁନ୍‍ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ୩ ବଖରା ଘର ନଷ୍ଟ ହୋଇଯାଇଛି।
ଭାଦୋହି-ବାବତପୁର ରାସ୍ତାର ଚୌରାକ୍ଷେତ୍ରରେ ଥିବା ରୋଟହା ଗ୍ରାମ ନିବାସୀ ଇର୍ଫାନ ମନସୁର ବାଣ ବ୍ୟବସାୟ କରି ଆସୁଛନ୍ତି। ନିଜ ଘରୁ ସେ ଏହି ବ୍ୟବସାୟ କରୁଥିଲେ। ଶନିବାର ଦିନ ପ୍ରାୟ ୧୧ଟା ୧୦ ମିନିଟରେ ହଠାତ୍‍ ବାଣ ରଖାଯାଇଥିବା ଘରେ ବିସ୍ଫୋରଣ ଘଟିଥିଲା। ଏଥିରେ ଇର୍ଫାନ (୨୮)ଙ୍କ ସମେତ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ୍‍ ଘରର ଭଗ୍ନାଂବଶେଷ ତଳୁ ଶବକୁ ବାହାର କରିଛି। ବିସ୍ଫୋରଣରେ ବ୍ୟବସାୟୀଙ୍କ ପଡୋଶୀର ଘର ମଧ୍ୟ ନଷ୍ଟ ହୋଇଯାଇଛି। ମିର୍ଜାପୁର ଡିଆଇଜି ପିୟୁଷ ଶ୍ରୀବାସ୍ତବ କହିଛନ୍ତି ଯେ ରୋଟହା ବାଣ ବିସ୍ଫୋରଣରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗ୍ରାମରେ ବାଣ ପ୍ରସ୍ତୁତ କରି ବିକ୍ରି କରାଯାଉଥିଲା। ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ତାହା ଜଣାପଡିନାହିଁ। ଘଟଣାର ତଦନ୍ତ ଜାରି ରହିଛି।

Leave A Reply