ହାତରେ ଫୁଟିଲା ବାଣ; ଛିଣ୍ଡିଗଲା ଆଙ୍ଗୁଳି

ଦେବଗଡ: ହାତରେ ନଡିଆ ବାଣ ଫୁଟିଯିବାରୁ ଦେବଗଡ ଥାନା ଅନ୍ତର୍ଗତ ନୂଆଁଗାଁ ଗ୍ରାମର ପ୍ରଶନ୍ନ ମୁଣ୍ଡା(୨୨) ନାମକ ଜଣେ ଯୁବକଙ୍କ ହାତର ୪ଟି ଆଙ୍ଗୁଳି ଛିଣ୍ଡିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ନୂଆଁଗାଁ ଗ୍ରାମର ପ୍ରଶନ୍ନ ମୁଣ୍ଡାଙ୍କ ଘରର କେତେକ ଶିଶୁ ରାସ୍ତାରୁ ଏକ ଅଫୁଟା ନଡିଆ ବାଣ ଗୋଟାଇ ଆଣି ଘରେ ରଖିଥିଲେ। ଆଜି ଅପରାହ୍ନରେ ଶିଶୁମାନେ ଘର ଭିତରେ ଉକ୍ତ ବାଣଟିକୁ ଫୁଟାଇବା ପାଇଁ ସେଥିରେ ନିଆଁ ଲଗାଉଥିଲେ। ତେବେ ବାଣଟି ଘରଭିତରେ ଫୁଟିଗଲେ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଥିବାରୁ ଏହି ଅଘଟଣକୁ ଏଡାଇବା ପାଇଁ ପ୍ରଶନ୍ନ ଶିଶୁମାନଙ୍କ ହାତରୁ ଜଳନ୍ତା ବାଣଟିକୁ ଛଡାଇବା ସହ ଘର ବାହାରକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ବାଣଟିକୁ ଫିଙ୍ଗିବା ପୂର୍ବରୁ ଏହା ପ୍ରଶନ୍ନଙ୍କ ହାତରେ ହିଁ ଫୁଟିଯାଇଥିଲା ଓ ଏହାଦ୍ୱାରା ତାଙ୍କର ଡାହାଣ ହାତର ୪ଟି ଅଙ୍ଗୁଳି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.