ଗାଁ’କୁ ଡିଜିଟାଲ ଡାକସେବା

ଦେଶରେ ୧ ଲକ୍ଷ ଡିଜିଟାଲ ସକ୍ଷମ ଗ୍ରାମ ପ୍ରତିଷ୍ଠା କରିବ ଓଡ଼ିଶା

-୧୨ ନକ୍ସଲ ପ୍ରଭାବିତ ଜିଲାରେ ଖୋଲିବ ୧୩୩ ଡାକଘର,-ପୋଷ୍ଟାଲ ଇ-କମର୍ସରେ ମାସକୁ ଆସୁଛି ୧୦ ହଜାର ପାର୍ସଲ

ଭୁବନେେଶ୍ବର : ଓଡ଼ିଶାର ନକ୍ସଲ ପ୍ରଭାବିତ ଜିଲାରେ ୧୩୩ଟି ଶାଖା ଡ଼ାକଘର ଖୋଲାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ସଂଖ୍ୟକ ଡ଼ାକଘର କାର୍ଯ୍ୟକ୍ଷମ ହେବ। ୧୨ଟି ନକ୍ସଲ ପ୍ରଭାବିତ ଜିଲାର ଦୁର୍ଗମ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଡ଼ାକ ବିଭାଗର ବିଭିନ୍ନ ସେବା ପହଞ୍ଚାଇବା ଏହାର ଲକ୍ଷ୍ୟ। ବୁଧବାର ସିପିଏମ୍‌ଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ମହାଡ଼ାକପାଳ ଡ଼ଃ ସନ୍ତୋଷ କୁମାର କାମିଳା କହିଛନ୍ତି ଯେ ଲୋକଙ୍କ ପାଖରେ ବିଭାଗର ବିଭିନ୍ନ ସେବା, ବିଶେଷକରି ଅନ୍‌ଲାଇନ୍ ସେବା ପହଞ୍ଚାଇବାକୁ ଆମେ ଗୁରୁତ୍ବ ଦେଉଛୁ। ନକ୍ସଲ ପ୍ରଭାବିତ ଜିଲାର ଏପରି ଅନେକ ଅଞ୍ଚଳ ରହିଛି, ଯେଉଁଠାରେ କୌଣସି ବ୍ୟାଙ୍କ କିମ୍ବା ଡ଼ାକ ସୁବିଧା ନାହିଁ। ତେଣୁ ୧୩୩ଟି ଶାଖା ଡ଼ାକଘର ଜରିଆରେ ନକ୍ସଲ ପ୍ରଭାବିତ ଗ୍ରାମାଞ୍ଚଳରେ ଡ଼ାକସେବା ସହ ବ୍ୟାଙ୍କ ସେବା ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏବେ ସୁଦ୍ଧା ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲାରେ ୪୦ଟି ଶାଖା ଡ଼ାକଘର ଖୋଲାଯାଇଛି। ସମ୍ବଲପୁରରେ ୨୭ଟି ଡ଼ାକଘର ଖୋଲି ଥିବାବେଳେ ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲାରେ ୧୩ଟି ଡ଼ାକଘର କାର୍ଯ୍ୟକ୍ଷମ ହୋଇଛି। ଡ଼ାକଘର ପରିଚାଳନା ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ତେଣୁ ଚଳିତ ବର୍ଷ ଓଡ଼ିଶା ଡ଼ାକ ପରିମଣ୍ଡଳ ପକ୍ଷରୁ ୪୫୦୦୦ ଗ୍ରାମୀଣ ଡ଼ାକ ସେବକଙ୍କୁ ନିଯୁକ୍ତ କରାଯାଇଛି ବୋଲି ସେ କହିଥିଲେ। ଅନୁଗୋଳ, ଦେବଗଡ଼, ବରଗଡ଼, ସମ୍ବଲପୁର, କନ୍ଧମାଳ, କଳହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା,ନୟାଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲାରେ ଶାଖା ଡ଼ାକଘର ଖୋଲାଯିବ।
ଡ଼ା କାମିଳା କହିଥିଲେ ଯେ ଡ଼ାକ ଘର ଜରିଆରେ ଅନ୍‌ଲାଇନ୍ ଦେୟ ପୈଠ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ’ଡିଜିଟାଲ ସକ୍ଷମ ଗ୍ରାମ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଓଡ଼ିଶାରେ ପ୍ରତି ଜିଲାରେ ଦୁଇଟି ହିସାବରେ ୬୬ଟି ଡିଜିଟାଲ ସକ୍ଷମ ଗ୍ରାମ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିଲା। କିନ୍ତୁ ଆମେ ୭୫୩ଟି ସକ୍ଷମ ଗ୍ରାମ ସୃଷ୍ଟି କରିପାରିଛୁ। ଏହି ସଫଳତା ପାଇଁ ଓଡ଼ିଶା ଡ଼ାକ ପରିମଣ୍ଡଳ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହ ସମଗ୍ର ଭାରତ ବର୍ଷରେ ୧ ଲକ୍ଷ ଡିଜିଟାଲ ସକ୍ଷମ ଗ୍ରାମ ସୃଷ୍ଟି କରିବା ପାଇଁ କେନ୍ଦ୍ର ଆମକୁ ଦାୟିତ୍ବ ପ୍ରଦାନ କରିଛନ୍ତି। ଏଥିରୁ ଓଡ଼ିଶାରେ ୩ ହଜାର ଗ୍ରାମକୁ ଡିଜିଟାଲ ସକ୍ଷମ ଗ୍ରାମରେ ପରିଣତ କରାଯିବ ବୋଲି ଡ଼ାଃ କାମିଳା ସୂଚନା ଦେଇଛନ୍ତି।
ହସ୍ତଗତ ସୂଚନା ଅନୁସାରେ ଇ-କମର୍ସ ବ୍ୟବସାୟରେ ଓଡ଼ିଶା ଡ଼ାକ ପରିମଣ୍ଡଳର ବଜାର ଅଂଶଧନ ୧୬% ରହିଛି। ମଞ୍ଚେଶ୍ବର ଠାରେ ଥିବା ପୋଷ୍ଟାଲ ଇ-କମର୍ସ ହବ୍‌ରେ କାରବାର ବୃଦ୍ଧି ପାଉଛି। ବହୁ ଲୋକପ୍ରିୟ ଇ-କମର୍ସ ୱେବ୍ ସାଇଟ୍‌ରେ ଡ଼ାକ ବିଭାଗ ଜରିଆରେ ପାର୍ସଲ ମଗାଇବା ପାଇଁ ବ୍ୟବସ୍ଥା ରହୁଛି। ଏବେ ଏହି ହବ୍‌କୁ ପ୍ରତିମାସ ପ୍ରାୟ ୧୦ ହଜାର ପାର୍ସଲ ଆସୁଛି। ଚଳିତ ମାସ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଡ଼ାକ ସପ୍ତାହ ପାଳିତ ହେଉଛି। ଏହି ଅବସରରେ ଡ଼ାକ ବିଭାଗର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ସେବା ସମ୍ପର୍କରେ ଜନସାଧାରଣଙ୍କୁ ସେଚତନ କରାଯାଇ ଥାଏ। ରାଜ୍ୟରେ ଏବେ ୩୩ଟି ଇଣ୍ଡିଆ ପୋ​‌ଷ୍ଟ ପେମେଣ୍ଟ ବ୍ୟାଙ୍କ କାର୍ଯ୍ୟକ୍ଷମ ଅଛି ଏବଂ ୬୩୬୯ ଡ଼ାକଘରେ ମଧ୍ୟ ବ୍ୟାଙ୍କ ସେବା ଉପଲବ୍ଧ ହେଉଛି। ଏବେ ସୁଦ୍ଧା ପୋଷ୍ଟାଲ ବ୍ୟାଙ୍କରେ ୩୪୯୩୫୦ ଆକାଉଣ୍ଟ ଖୋଲାଯାଇ ୪୫୯୨୩ ଆକାଉଣ୍ଟକୁ ଡ଼ାକଘର ସଞ୍ଚୟ ଖାତା ସହ ସଂଯୋଗ କରାଯାଇଛି। ସେହିପରି ୭୦୦୬ ଶାଖା ଡ଼ାକଘର ମଧ୍ୟରୁ ୫୧୭୧ ଡ଼ାକଘରକୁ ଅନ୍‌ଲାଇନ୍ ସେବା ସହ ଯୋଡ଼ାଯାଇଛି। ଚଳିତ ଆର୍ଥିକ ବର୍ଷରେ ଫକୀରମୋହନ ମହାବିଦ୍ୟାଳୟ ଓ ଦୈନିକ ’ସମାଜ‘ ଉପରେ ସ୍ମରଣିକା ଡ଼ାକ ଟିକଟ ଓ ୨୪ଟି ସ୍ବତନ୍ତ୍ର ଡ଼ାକ ଲଫାପା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ସମ୍ବଲପୁର ଡ଼ାକମଣ୍ଡଳର କର୍ମଚାରୀ ସୁନୀତା ପ୍ରିୟଦର୍ଶନୀ ସାମନ୍ତରାୟ ’ମେଘଦୂତ ପୁରସ୍କାର’ ପାଇବା ପାଇଁ ଯୋଗ୍ୟ ବିବେଚିତା ହୋଇଛନ୍ତି।

Comments are closed.