ବ୍ଲକ କାର୍ଯ୍ୟାଳୟ ଆଗରେ ସିପିଆଇର ଆଇନ ଅମାନ୍ୟ ଆନ୍ଦୋଳନ

0

ବ୍ରହ୍ମପୁର: ପୋଲସରା ବ୍ଲକ କାର୍ଯ୍ୟାଳୟ ଆଗରେ ସିପିଆଇ ଆଇନ ଅମାନ୍ୟ ଆନ୍ଦୋଳନ କରିଛି । ବ୍ଲକ୍ କାର୍ଯ୍ୟାଳୟ ଫାଟକରେ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ସିପିଆଇ ଆଂଚଳିକ ସମ୍ପାଦକ ଦଣ୍ଡପାଣି ସାମଲଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ସମ୍ବିଧାନ ବଂଚାଅ, ଦେଶ ବଂଚାଅ ସ୍ଲୋଗାନ ଦେଇ ବ୍ଲକ୍ କାର୍ଯ୍ୟାଳୟ ମୁଖ୍ୟ ଫାଟକ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁରୁଷୋତମପୁର ଏସଡ଼ିପିଓ ଅଶ୍ୱିନୀ କୁମାର ସାହୁ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, କୋଦଳା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଓ ଏଏସ୍ଆଇ ମମତା ସାମନ୍ତରାୟ ପ୍ରମୁଖ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଶହ ଶହ ପୁରୁଷ ଓ ମହିଳା ଠାକୁରାଣୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ । ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ପଛୁଆବର୍ଗ ଓ ମହିଳାମାନଙ୍କ ଉପରେ ନିର୍ୟ୍ୟାତନା ବନ୍ଦ କରିବା, ଚାଷୀଙ୍କୁ ପେନସନ୍ ଓ ଭତ୍ତା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡ଼, ଭୂମିହୀନ ଘରଡ଼ିହ ଓ ଦଖଲ ଜମିର ପଟ୍ଟା ଆଦି ଦେବାକୁ ଦାବି କରିଥିଲେ । ଏନେଇ ଏକ ଦାବିପତ୍ର ବିଡ଼ିଓ ଶମ୍ବୁନାଥ ନନ୍ଦିଙ୍କୁ ପ୍ରଦାନ କରିଥିଲେ ।

Leave A Reply