ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ: ସିପିଆଇ

ଭୁବନେଶ୍ୱର : ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ବିରୋଧୀ ଦଳ ଓ କୃଷକ ସଂଗଠନମାନଙ୍କ ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ବିନା ଆଲୋଚନାରେ କୃଷି ଓ କୃଷକ ବିରୋଧୀ ୩ଟି ନୂଆ କୃଷି ଆଇନକୁ ସଂସଦରେ ପାସ୍ କରାଇଛନ୍ତି। ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦେଶର ୫୦୦ରୁ ଅଧିକ କୃଷକ ସଂଗଠନ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନାମରେ ଏକତ୍ର ହୋଇ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ପ୍ରବେଶ ପଥରେ ଦୀର୍ଘ ୨୯ଦିନ କାଳ ଆନ୍ଦୋଳନ ଚଳାଇଛନ୍ତି। ଅଦ୍ୟାବଧି ୩୯ଜଣ କୃଷକ ମୃତ୍ୟୁବରଣ କରି ସହିଦ ହେଲେଣି। ଓଡ଼ିଶାରେ ଏହି ବିଲ୍କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ, ରାଜନୈତିକ ଦଳ, ବୁଦ୍ଧିଜୀବୀ ଆନ୍ଦୋଳନ ଚଳାଇଛନ୍ତି। ମାତ୍ର କୃଷି ଆଇନ ସମ୍ପର୍କରେ ଓଡ଼ିଶା ରାଜ୍ୟ ସରକାର ନିରବ ରହିଛନ୍ତି ବୋଲି ସିପିଆଇ କହିଛି। ବିଜେଡିର ରାଜ୍ୟ ପରିଷଦ ବୈଠକରେ ଓଡ଼ିଶା ପାଇଁ ବିଭିନ୍ନ ପ୍ରସ୍ତାବର ସଂକଳ୍ପ ପାରିତ ହୋଇଥିଲାବେଳେ ଦେଶର କୃଷି ଆଇନ ଉପରେ କୌଣସି ପ୍ରସ୍ତାବ ପାରିତ ହୋଇପାରିଲା ନାହିଁ। ବିଗତ ଦିନରେ ଧାନ କୁଇଣ୍ଟାଲକୁ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ବିଧାନସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାସ୍ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସ୍ଥିର କରାଯାଇଥିଲା। ତା’ର କାର୍ଯ୍ୟକାରିତା ଉପରେ ରାଜ୍ୟବାସୀ ଅନ୍ଧାରରେ ରହିଛନ୍ତି। କୃଷକଙ୍କ ପାଇଁ ପାରିତ ହୋଇଥିବା ୩ଟି କୃଷି ଆଇନ ସମ୍ପର୍କରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇ ଆଲୋଚନା କରିବା ପାଇଁ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁଖୋଲା ଚିଠି ଲେଖି ଅନୁରୋଧ କରୁଛନ୍ତି।

Comments are closed.