ଆସନ୍ତା ସପ୍ତାହରୁ ହିନ୍ଦୀ ସମେତ ୧୪ ଆଞ୍ଚଳିକ ଭାଷାରେ କୋୱିନ ପୋର୍ଟାଲ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ କୋୱିନ ପୋର୍ଟାଲ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଏଥିସହିତ କୋଭିଡ-୧୯ ଭାରିଆଣ୍ଟ ସମ୍ପର୍କରେ ନିରୀକ୍ଷଣ କରିବାକୁ ଇନସାକଗ୍‍ (ଆଇଏନଏସଏସିଓଜି) ନେଟୱର୍କ ସହିତ ଆଉ ୧୭ଟି ଲାବୋରେଟୋରୀକୁ ଯୋଡାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ଗୋଷ୍ଠୀର ଉଚ୍ଚସ୍ତରୀୟ ବୈଠକରେ ଏହି ଘୋଷଣା କରାଯାଇଛି। ସଂପ୍ରତି ଇନସାକଗ୍‍ ନେଟୱର୍କରେ ୧୦ଟି ଲାବୋରେଟୋରୀ ରହିଛି। ଏହି ସଂଖ୍ୟା ବୃଦ୍ଧିଦ୍ୱାରା ଭୂତାଣୁର ଭାରିଆଣ୍ଟ ସମ୍ପର୍କରେ ଶୀଘ୍ର ଓ ଅଧିକ ବିସ୍ତୃତ ତଥ୍ୟ ମିଳିପାରିବ। କୋଭିଡ ଚିକିତ୍ସା ନିମନ୍ତେ ୨-ଡିଜି ଔଷଧ ପ୍ରସ୍ତୁତି ପାଇଁ ଶ୍ରୀ ବର୍ଦ୍ଧନ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସେ କହିଥିଲେ ଯେ କୋଭିଡ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ସହାୟତା କରୁଛନ୍ତି। ଇତିମଧ୍ୟରେ ୪.୨୨ କୋଟିରୁ ଅଧିକ ଏନ୯୫ ତୁଣ୍ଡି, ୧.୭୬ କୋଟି ପିପିଇ କିଟ୍‍, ୫୨.୬୪ ଲକ୍ଷ ରେମଡେସିଭିର ଇଞ୍ଜେକ୍ସନ ଏବଂ ୪୫,୦୬୬ ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। କୋୱିନ ପୋର୍ଟାଲ ହିନ୍ଦୀ ଓ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବାଦ୍ୱାରା ଏହା କୋଭିଡ ଟିକାକରଣ ଓ ଚିକିିତ୍ସାରେ ବିଶେଷ ସହାୟକ ହୋଇପାରିବ।

Comments are closed.