ଗୋଖାଦ୍ୟ ଦୁର୍ନୀତି ମାମଲା : ୩୭ ଜଣଙ୍କୁ ୩ରୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ୍‍

0

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ଏକ ମାମଲାରେ ରାଞ୍ଚିସ୍ଥିତ ସ୍ୱତନ୍ତ୍ର ସିବିିଆଇ ଅଦାଲତ ବୁଧବାର ବିହାରର ୩୭ ଅଭିଯୁକ୍ତଙ୍କୁ ୩ରୁ ୧୪ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ସହ କୋଟିଏରୁ ଅଧିକ ଟଙ୍କାର ଜରିମାନ କରି ରାୟ ପ୍ରକାଶ କରିଛନ୍ତି। ସିବିଆଇର ସ୍ୱତନ୍ତ୍ର ଅଦାଲତ ବିଚାରପତି ଶିବପାଲ ସିଂହ ୪ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ପ୍ରସଙ୍ଗରେ ପାଞ୍ଚଟି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୪ଟି ମାମଲାର ରାୟ ପ୍ରକାଶ ପାଇଥିବାବେଳେ ଆଜି ଶେଷ ରାୟ ପ୍ରକାଶ ପାଇଛି। ଲାଲୁପ୍ରସାଦ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୯୧ରୁ ୧୯୯୬ ମଧ୍ୟରେ ଗୋଖାଦ୍ୟ କ୍ରୟ ବାବଦରେ ପଶୁପାଳନ ବିଭାଗ ପକ୍ଷରୁ ଗୋଖାଦ୍ୟ କିଣା ବାବଦକୁ ବେଆଇନଭାବେ ବିଭିନ୍ନ ଟ୍ରେଜେରୀରୁ ବିଭିନ୍ନ ସମୟରେ ପ୍ରାୟ ୯୦୦ କୋଟି ଟଙ୍କା ଉଠାଯାଇଥିଲା। ଏହି ସମୟ ମଧ୍ୟରେ ଦୁମକା ଟ୍ରେଜେରୀରୁ ୩୪.୯୧ କୋଟି ଟଙ୍କା ଉଠାଣ ଅଭିଯୋଗରେ ଅପ୍ରେଲ ୯ରେ ୩୭ ଜଣ ଦୋଷୀସାବ୍ୟସ୍ତ ହୋଇଥିଲେ। ବୁଧବାର ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଉଲ୍ଲେଖ ଯେ ୧୯୯୬ରେ ବିହାର ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ୧୯୯୭ ଜୁନରେ ସିବିଆଇ ପକ୍ଷରୁ ଲାଲୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା। ଫଳରେ ଲାଲୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାସହିତ ମୁଖ୍ୟମନ୍ତ୍ରୀ ଆସନରେ ପତ୍ନୀ ରାବ୍‍ଡି ଦେବୀଙ୍କୁ ଅବସ୍ଥାପିତ କରିଥିଲେ। ୨୦୦୧ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ନବଗଠିତ ଝାଡ଼ଖଣ୍ଡକୁ ସ୍ଥାନାନ୍ତର ନିର୍ଦେଶ ଦେଇଥିଲେ। ୨୦୦୨ରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ସିବିଆଇ ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଦୁମ୍‍କା ଟ୍ରେଜେରୀରୁ ୩୪.୯୧ କୋଟି ଟଙ୍କା ଉଠାଣ ମାମଲାରେ ୭୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୦୪ରେ ଏହି ମାମଲାରେ ୬୦ ଜଣଙ୍କ ନାମରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। ଇତି ମଧ୍ୟରେ ୧୪ ଅଭିଯୁକ୍ତ ପ୍ରାଣ ହରାଇସାରିଛନ୍ତି। ୨ ଜଣ ଦୋଷ ସ୍ୱୀକାର କରିଥିବାବେଳେ ୨ ଜଣ ଫେରାର ଅଛନ୍ତି। ଅପ୍ରେଲ ୯ରେ ମାମଲାର ଶୁଣାଣି କରି କୋର୍ଟ ୯ ଜଣଙ୍କୁ ଦୋଷ ମୁକ୍ତ କରିଥିଲେ। ଏହା ପୂର୍ବରୁ ଅଦାଲତ ମାର୍ଚ୍ଚ ୨୩ରେ ଗୋଖାଦ୍ୟ ଦୁର୍ନୀତିର ଏକ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏବେ ଲାଲୁ ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Leave A Reply