ତିନି ଜିଲାରେ ଟିକା ନେଲେ ୧୨୨୪ ସ୍ବାସ୍ଥ୍ୟକର୍ମୀ : ସଂଖ୍ୟା ଛୁଇଁଲା ୨ଲକ୍ଷ ୬ହଜାର ୪୨୪କୁ

ଭୁବନେଶ୍ବର : ରାଜ୍ୟରେ କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମ ଶନିବାର କେବଳ ଖୋର୍ଦ୍ଧା, ସମ୍ବଲପୁର ଓ ନୂଆପଡା ଜିଲାରେ କରାଯାଇଛି। ଏହି ତିନି ଜିଲାରେ ଟିକାକରଣ ହାର ୬୨.୨ ପ୍ରତିଶତରେ ସୀମିତ ରହିଛି।  ଶନିବାର ଥିବାରୁ ରାଜ୍ୟର ୨୭ଟି ଜିଲାରେ ସ୍ବାସ୍ଥ୍ୟବିଭାଗର ନିୟମିତ କାର୍ଯ୍ୟ  ପାଇଁ ଟିକାକରଣ କାର୍ୟ୍ୟକ୍ରମ ବନ୍ଦ ରହିଥିଲା । ଏହି ତିନି ଜିଲାରେ ଆଜି ୧୨୨୪ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଆଜିର ଟିକାକରଣକୁ ମିଶାଇ ରାଜ୍ୟର ସଂଖ୍ୟା ୨ଲକ୍ଷ ୬ହଜାର ୪୨୪କୁ ଛୁଇଁଛି ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଦର୍ଶାଯାଇଛି।
ସୂଚନା ଅନୁଯାୟୀ ଭୁବନେଶ୍ବରରେ ଆଜି ୮ଟି କେନ୍ଦ୍ରରେ ୧୬୪୪ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦେବାକୁ ଲକ୍ଷ୍ୟ ରହିଥିଲା, ହେଲେ ସନ୍ଧ୍ୟା ସୁଦ୍ଧା ୯୩୨ଜଣ ନେଇଛନ୍ତି। ଲକ୍ଷ୍ୟଧାର୍ୟ୍ୟର ମାତ୍ର ୫୬.୭ ପ୍ରତିଶତଙ୍କୁ ଟିକାଦାନ ହୋଇଛି। ସେହିପରି ସମ୍ବଲପୁରରେ ୩ଟି କେନ୍ଦ୍ରରେ ୨୬୫ଜଣଙ୍କୁ ଟିକାଦେବାକୁ ଲକ୍ଷ୍ୟ ଥିବାବେଳେ ୨୪୫ଜଣ ନେଇଛନ୍ତି। ଜିଲାରେ ୯୨.୫ ପ୍ରତିଶତ ଟିକାଦାନ ହାର ରହିଛି। ନୂଆପଡାରେ ଗୋଟିଏ କେନ୍ଦ୍ରରେ ୪୭ଜଣ ଟିକା ନେଇଛନ୍ତି। ଆଜି ହୋଇଥିବା ଟିକାକରଣ ମଧ୍ୟରେ ୨୯୨ଜଣ କୋଭିସିଲଡ ଟିକା ନେଇଥିବାବେଳେ ୯୩୨ଜଣ କୋଭାକ୍ସିନ୍ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି।
ଗତକାଲି ସୁଦ୍ଧା ୨ଲକ୍ଷ ୫ହଜାର ୨୦୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବାବେଳେ ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟର ଟିକାକରଣ ସହଖ୍ୟା ୨ଲକ୍ଷ ୬ହଜାର ୪୨୪ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ୩ଲକ୍ଷ ୩୮ହଜାର ୭୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିରୁ ଅଦ୍ୟାବଧି ୬୨ ପ୍ରତିଶତ ଟିକା ନେଇ ସାରିଲେଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.