ଭାରତୀୟ ଟୀକା ‘‘କୋଭିସିଲ୍ଡ଼’ ପାଇଁ ବରାଦ ଦେଲେଣି ବିଶ୍ଵର ବିଭିନ୍ନ ଦେଶ

ଭାରତ ନିମନ୍ତେ ୫୦ କୋଟି ଟୀକା ଯୋଗାଇ ପାରିବ ସେରମ ଇନଷ୍ଟିଚ୍ୟୁଟ୍

ପ୍ରତି ମିନିଟରେ ଅନ୍ୟୂନ ୫୦୦ କୋବିଡ଼ ଟୀକା ପ୍ରସ୍ତୁତ କରିପାରିବ କମ୍ପାନୀ

କରୋନା ସଂକ୍ରମଣ ସାରା ବିଶ୍ଵ ପାଇଁ ଚିନ୍ତାଜନକ ହୋଇଛି । ତେବେ ଏହା ମଧ୍ୟରେ ଏକ ଆଶ୍ଵସ୍ତିର କଥା ହେଉଛି ସଂକ୍ରମିତଙ୍କ ମଧ୍ୟରୁ ଏକ ବଡ଼ ଅଂଶ କରୋନାରୁ ମୁକ୍ତ ହୋଇଛନ୍ତି । ଅନ୍ୟଏକ ଆଶ୍ଵସ୍ତିକର ଖବର ହେଉଛି ଭାରତ, ବ୍ରିଟେନ୍, ରୁଷ, ଆମେରିକା ପରି କିଛି ଦେଶ କରୋନା ଟୀକା ନିର୍ମାଣ ନିମନ୍ତେ ପୁରା ପ୍ରସ୍ତୁତି କରିଛନ୍ତି ଓ କିଛି ଗବେଷକ ଟୀକା ପ୍ରସ୍ତୁତିର ବେଶ୍ ନିକଟତର ହୋଇଛନ୍ତି । କିଛି ସ୍ଥାନରେ ଟୀକାର କ୍ଲିନିକାଲ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଛି । ରୁଷ, ଆମେରିକା, ଚୀନ ଖୁବ୍ ଶୀଘ୍ର ଟୀକା ବିକଶିତ କରିବା ନେଇ ଘୋଷଣା କରିଛନ୍ତି ଓ ଭାରତ ମଧ୍ୟ ଏଥିରେ ପଛ​‌ରେ ପଡ଼ିନାହିଁ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଭାରତୀୟ ଟୀକା ନିମନ୍ତେ ଏବେ ଦେଶ ବିଦେଶରୁ ଆଗୁଆ ବରାଦ ଭାରତୀୟ କମ୍ପାନୀ ନିକଟରେ ପହଞ୍ଚିଛି ।

ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ପୁନେର ସିରମ ଇନଷ୍ଟିଚ୍ୟୁଟ୍ ଭାରତରେ କରୋନା ଟୀକା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଭାରତ ବାୟୋଟେକ୍ କ୍ୟାଡ଼ିଲା ଓ ଅନ୍ୟ କିଛି କମ୍ପାନୀ ସହ ମିଶି ଟୀକା ପ୍ରସ୍ତୁତ କରୁଛି ଏବଂ ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ଼ ୟୁନିଭରସିଟି ସହ ମିଶି ଟୀକା ଗବେଷଣା ଚଳାଇଛି । ସିରମ ଇନ୍ଷ୍ଟିଚ୍ୟୁଟ୍ ବିଶ୍ଵର ଅଗ୍ରଣୀ ଟୀକା ନିର୍ମାଣକାରୀ କମ୍ପାନୀ ମଧ୍ୟରୁ ଗୋଟିଏ ଏବଂ ଅକ୍ସଫୋର୍ଡ଼ ବିଶ୍ଵବିଦ୍ୟାଳୟ ସହ ମିଶି କମ୍ପାନୀ ଯେଉଁ ଟୀକା ପ୍ରସ୍ତୁତ କରିଛି ତାହାର ନାମ ‘କୋଭିସିଲ୍ଡ଼’ (Covishield) ଦିଆଯାଇଛି । ପ୍ରଥମ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯିବା ପରେ ଏହା ସଫଳ ଏବଂ ସୁରକ୍ଷିତ ସାବ୍ୟସ୍ତ ହୋଇଛି । ଏହା ଯୋଗୁଁ ସାରା ବିଶ୍ଵର ନଜର ଏହି ଟୀକା ଉପରେ ନିବଦ୍ଧ ହୋଇଛି ।

ଏହି ଟୀକା କରୋନା ଭୂତାଣୁ ଉପରେ ଦୁଇ ପ୍ରକାର ପ୍ରଭାବ ପକାଇ ପାରିବାକୁ ସକ୍ଷମ । କ୍ଲିନିକାଲ ଟ୍ରାଏଲ ସମୟରେ ଏହି ଟୀକା ମଣିଷ ଶରୀରରେ ଆଣ୍ଟିବଡ଼ି ଓ ଟି ସେଲ୍ ଉଭୟକୁ ବିକଶିତ କରିବାରେ ସଫଳ ହୋଇଛି । ଟି ସେଲ ଭୂତାଣୁକୁ ଚିହ୍ନଟ କରିବା ନିମନ୍ତେ ସହାୟତା କରିଥାଏ ଓ ଆଣ୍ଟିବଡ଼ି ଭୂତାଣୁ ସହ ଲଢ଼ିଥାଏ ।

କମ୍ପାନୀର ପ୍ରମୁଖ ଅଦାର ପୁନାୱାଲ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ  ଅନୁସାରେ ବ୍ରିଟେନ୍ ଓ ଅନ୍ୟ ଦେଶରେ ଏହି ଟୀକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି । ଏଥିରେ ଫଳାଫଳ ସକାରାତ୍ମକ ରହିଛି । ଭାରତରେ ଏହି ଟୀକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ । ଏହି ଟୀକା ଉପରେ ସାରା ବିଶ୍ଵର ବିଭିନ୍ନ ଦେଶ ନଜର ରଖିଛନ୍ତି ।

ସିରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପୁନାୱାଲଙ୍କ ସୂଚନା ଅନୁସାରେ ଅକ୍ସଫୋର୍ଡ଼ ସହ ମିଶି କମ୍ପାନୀର ବୈଜ୍ଞାନିକମାନେ ପ୍ରତି ମିନିଟରେ ୫୦୦ ଟୀକା ପ୍ରସ୍ତୁତି ନିମନ୍ତେ ସକ୍ଷମ ହୋଇ ପାରିଛନ୍ତି । ବିଶ୍ଵର ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କର ଫୋନ୍ ତାଙ୍କ ନିକଟକୁ ଆସୁଛି । ସମସ୍ତେ ଚାହୁଁଛନ୍ତି ତାଙ୍କ ଦେଶକୁ ପ୍ରଥମେ ଟୀକା ପ୍ରଦାନ କରାଯାଉ । ଟୀକାର ମାନବ ପରୀକ୍ଷଣ ସଫଳ ହେବ ସେ ବିଶ୍ଵାସ ମୋର ରହିଛି ଓପ୍ରଥମ ପର୍ଯ୍ୟାୟରେ ଭାରତରେ ୫୦ କୋଟିରୁ ଅଧିକ ଟୀକା କମ୍ପାନୀ ଯୋଗାଇ ପାରିବ ବୋଲି ଶ୍ରୀ ପୁନାୱାଲା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଟୀକା ପ୍ରସ୍ତୁତି କ୍ଷେତ୍ରରେ ସିରମ ଇନଷ୍ଟିଚ୍ୟୁଟ୍ ବିଶ୍ଵର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ଗଣାଯାଏ । ଏଠାରେ ବର୍ଷକୁ ପ୍ରାୟ ଦେଢ଼ ବିଲିଅନ ବିଭିନ୍ନ ପ୍ରକାର ଟୀକା ପ୍ରସ୍ତୁତ କରାଯାଇଥାଏ । ଏହାର ଅଧିକାଂଶ ଡ଼ୋଜ୍ ଗରିବ ଦେଶଗୁଡ଼ିକୁ ରପ୍ତାନୀ ହୋଇଥାଏ । ସାରା ବିଶ୍ଵରେ ଶିଶୁମାନଙ୍କୁ ଦିଆଯାଉଥିବା ଟୀକାର ପ୍ରାୟ ଅର୍ଦ୍ଧେକ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରିଥାଏ ।

Comments are closed.