ସେରମ୍‍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡକୁ ଗ୍ରୀନ ପାସପୋର୍ଟରେ ସ୍ଥାନ ଦେଲେ ସ୍ୱିଜରଲାଣ୍ଡ ଏବଂ ୟୁରୋପୀୟ ସଂଘର ୮ ରାଷ୍ଟ୍ର

ଭାରତର କୂଟନୈତିକ ପ୍ରୟାସରୁ ମିଳିଲା ସଫଳତା

ନୂଆଦିଲ୍ଲୀ: ସେରମ୍‍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଶିଲ୍ଡ ଟିକାକୁ ସ୍ୱିଜରଲାଣ୍ଡ ଏବଂ ୟୁରୋପୀୟ ସଂଘର ୮ଟି ରାଷ୍ଟ୍ର ଗ୍ରୀନ ପାସପୋର୍ଟ ତାଲିକାରେ ସ୍ଥାନ ଦେଇଛନ୍ତି । କୋଭିଶିଲ୍ଡ ସମେତ କୋଭାକ୍ସିନକୁ ଏହି ତାଲିକାରେ ସ୍ଥାନ ଦେବାକୁ ଭାରତ ଏହିସବୁ ରାଷ୍ଟ୍ରଙ୍କୁ ଅନୁରୋଧ କରିଥିଲା । ନୂଆଦିଲ୍ଲୀର କୂଟନୈତିକ ପ୍ରୟାସ ପରେ ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇସଲାଣ୍ଡ, ଆୟର୍ଲାଣ୍ଡ, ସ୍ପେନ ଏବଂ ଇସ୍ତୋନି ସମେତ ସ୍ୱିଜରଲାଣ୍ଡ କୋଭିଶିଲ୍ଡକୁ ଗ୍ରୀନ ପାସପୋର୍ଟ ତାଲିକାରେ ସ୍ଥାନିତ କରିଛନ୍ତି । ଏହା ଅର୍ଥ କୋଭିଶିଲ୍ଡ ଟିକା ନେଇଥିବା ସମସ୍ତ ଭାରତୀୟ ଏହିସବୁ ରାଷ୍ଟ୍ରକୁ ଯାତ୍ରା କରିପାରିବେ । ଇତିମଧ୍ୟରେ ଇସ୍ତୋନିଆ କହିଛି, ଭାରତ ସରକାରଙ୍କ ପକ୍ଷରୁ ସ୍ୱୀକୃତିଲାଭ କରିଥିବା ସମସ୍ତ ଟିକାକୁ ଏହା ଗ୍ରୀନ ପାସପୋର୍ଟ ତାଲିକାରେ ସ୍ଥାନଦେବ । ପୂର୍ବରୁ କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟମାନେ ୟୁରୋପୀୟ ସଂଘ ରାଷ୍ଟ୍ରକୁ ଯାତ୍ରା କରିବା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏସଆଇଆଇର ସିଇଓ ଆଦାର ପୁନାୱାଲା ଏହି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟ ଯେ କୋଭିଶିଲ୍ପଡ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରିସାରିଛି ।

Comments are closed.