ଦିଲ୍ଲୀ ସମେତ ୪ ରାଜ୍ୟରୁ ଆସୁଥିବା ଲୋକଙ୍କୁ ମହାରାଷ୍ଟ୍ରରେ ପ୍ରବେଶ ନିଷେଧ, ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ମିଳିବ ଏଣ୍ଟ୍ରି

ମୁମ୍ବଇ : ମହାମାରୀ କୋରୋନା ସଂକ୍ରମଣ ମାମଲାର ବୃଦ୍ଧି ଏବଂ କରୋନାର ଦ୍ବିତୀୟ ଲହରକୁ ନଜରରେ ରଖି ସୋମବାର ମହାରାଷ୍ଟ୍ର ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। କରୋନା ମାମଲାରେ ବୃଦ୍ଧି ନଜରରେ ରଖି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ଏହି ଗାଇଡଲାଇନ ଅନୁଯାୟୀ ଘରୋଇ ବିମାନ ଜରିଆରେ ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ଗୋଆରୁ ଆସୁଥିବା ଲୋକଙ୍କୁ ଏବେ ନିଜ ସାଙ୍ଗରେ କରୋନା ନେଗେଟିଭ ରିପୋର୍ଟ ଆଣିବାକୁ ପଡିବ। ଯଦି ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ଗୋଆରୁ ଆସୁଥିବା ଲୋକଙ୍କ ପାଖରେ କରୋନା ନେଗେଟିଭ୍‌ ରିପୋର୍ଟ ନଥିବ ତେବେ ତାଙ୍କୁ ମହାରାଷ୍ଟ୍ରରେ ପ୍ରବେଶ ଅନୁମତି ମିଳିବ ନାହିଁ।

ଏଥି ସହିତ ମହାରାଷ୍ଟ୍ରକୁ ଆସୁଥିବା ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ଗୋଆର ଲୋକଙ୍କ ପାଖରେ ଯେଉଁ କରୋନା ଆରଟିପିସିଆର ରିପୋର୍ଟ ଥିବ ତାହା ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ। ଯଦି କୌଣସି ଯାତ୍ରୀଙ୍କ ନିକଟରେ ନେଗେଟିଭ ରିପୋର୍ଟ ନଥାଏ, ତାହେଲେ ମୁମ୍ବାଇ ଏୟାରପୋର୍ଟରେ ନିଜ ଖର୍ଚ୍ଚରେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ। ଯଦି ରିପୋର୍ଟ ନେଭେଟିଭ୍ ଆସିବ ତେବେ ମହାରାଷ୍ଟ୍ରକୁ ପ୍ରବେଶ କରିବାର ଅନୁମତି ମିଳିବ।

ଅନ୍ୟପକ୍ଷେ ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଗୋଆ ଦେଇ ଯାତାୟାତ କରୁଥିବା ଟ୍ରେନରେ ଥିବା ସମସ୍ତ ଯାତ୍ରୀ ମହାରାଷ୍ଟ୍ରରେ ପ୍ରବେଶ କରିବାକୁ ଚାହୁଁଥିଲେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ମହାରାଷ୍ଟ୍ରରେ ପ୍ରବେଶ କରିବାର ୯୬ ଘଣ୍ଟା ପୂର୍ବରୁ ନମୁନା ନିଆଯିବା ଆବଶ୍ୟକ। ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ନଥିବ, ସେମାନଙ୍କର ଷ୍ଟେସନରେ ଲକ୍ଷଣ ଏବଂ ଜ୍ବର ଯାଞ୍ଚ କରାଯିବ । ଯାହାଙ୍କଠାରେ ଲକ୍ଷଣ ନଥିବ ସେମାନଙ୍କୁ ଯିବାକୁ ଅନମତି ମିଳିବ । ଏଥି ସହିତ ଯେଉଁମାନଙ୍କର ଲକ୍ଷଣ ଅଛି ସେମାନଙ୍କୁ ଅଲଗା କରାଯିବ ଏବଂ ଆଣ୍ଟିଜେନ୍ ପରୀକ୍ଷା କରାଯିବ । ଆଣ୍ଟିଜେନ ପରୀକ୍ଷା ନେଗେଟିଭ ହେଲେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ । ଏଥି ସହିତ, ଯେଉଁମାନେ ପରୀକ୍ଷା କରାଇବେ ନାହିଁ, ସେମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଯିବ । ଯେଉଁଠାରେ ଚିକିତ୍ସା ନିଜ ଖର୍ଚ୍ଚରେ କରିବାକୁ ପଡିବ ବୋଲି ଏହି ଗାଇଡଲାଇନରେ ଦର୍ଶାଯାଇଛି ।

Comments are closed.