ଅନୁଭୂତି ବାଣ୍ଟିଲେ କରୋନା ଯୋଦ୍ଧା : ଡରିବାନି, ଲଢ଼ିବା

ନବରଙ୍ଗପୁର : କରୋନା ଭୂତାଣୁକୁ ଆଦୌ ବେଖାତିର ମଧ୍ୟ କରନ୍ତୁ ନାହିଁ, ସାମାନ୍ୟ ଭୁଲ୍‍ରୁ ଭୂତାଣୁ ନିଜ ଦେହକୁ ଆସିଯାଇପାରେ। ତେବେ ଆମେ ଆଦୌ ଡରିବାନି, ପରିସ୍ଥିତି ସହ ମୁକାବିଲା କରି କରୋନା ସହ ଧୈର୍ଯ୍ୟର ସହ ଲଢ଼ିଲେ ହିଁ ଜିତିପାରିବା’। ଏହା କହିଛନ୍ତି କରୋନା ସହ ଲଢ଼େଇରେ ବିଜୟୀ ହୋଇଥିବା ଜଣେ ମହିଳା କରୋନା ଯୋଦ୍ଧା। କୋଭିଡ ହସ୍ପିଟାଲରେ ସାତ ଦିନର ଅନୁଭୂତି କହିବାବେଳେ ସେ ଭୟ ବେଳେ ଭଗବାନଙ୍କ ସ୍ମରଣ କରିବାକୁ ପରାମର୍ଶ ଦେଇଛନ୍ତି। ଯୋଗାଭ୍ୟାସ ଓ ପ୍ରାଣାୟମକୁ ସାଥି କଲେ ଅନେକ ସମସ୍ୟା ଦୂର ହୋଇଥାଏ ବୋଲି ସେ କହନ୍ତି।
ନବରଙ୍ଗପୁର ଜିଲାର ଏହି ମହିଳା କରୋନା ଯୋଦ୍ଧା ତେନ୍ତୁଳିଖୁଣ୍ଟି ବ୍ଲକରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ। ଘରେ ସ୍ୱାମୀଙ୍କ ସହ ପିଲାଙ୍କୁ ନେଇ ତାଙ୍କର ହସଖୁସିର ସଂସାର। କାର୍ଯ୍ୟକ୍ଷେତ୍ରରେ ବହୁ ସତର୍କତା ଅବଲମ୍ବନ କରୁଥିଲେ। ଘରେ ମଧ୍ୟ ଅଧିକ ସତର୍କତା ଅବଲମ୍ବନ କରୁଥିଲେ। ତେବେ ଅଜାଣତରେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଯାଇଥିଲେ। ତଥାପି ନିଜ ଆଡ଼ୁ ପରୀକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜାଣିପାରିଥିଲେ। ଏହା ଜାଣିବା ପରେ ପ୍ରଥମେ କିଛି କ୍ଷଣ ପାଇଁ ହଡ଼ବଡ଼େଇ ଯାଇଥିଲେ। ତଥାପି ଅସୀମ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିଥିଲେ। ଘରେ ଛୋଟ ଛୋଟ ପିଲା ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି କୋଭିଡ ହସ୍ପିଟାଲକୁ ଯିବା ବେଳେ ମନରେ ନାନା ଆଶଙ୍କା ଥିଲା, ଭୟ ମଧ୍ୟ ଲାଗୁଥିଲା। ସେଠାରେ ପହଞ୍ଚିବା ପରେ ସବୁକିଛି ଭାବନା ବଦଳିଗଲା। କିଏ କୁଆଡ଼ୁ ଆସିଥିଲେ। ସମସ୍ତେ ଅପରିଚିତ ଥିଲେ ମଧ୍ୟ ପରିସ୍ଥିତିରେ ସମସ୍ତେ ପରିଚିତ ହୋଇଯାଇଥିଲେ। ଭୂତାଣୁ ଭୟ ଭିତରେ ଭଗବାନଙ୍କୁ ଅନବରତ ସ୍ମରଣ କରୁଥିଲେ ସେ। ସମସ୍ତେ ପୁରୁଷ ଥିଲେ ମଧ୍ୟ ଏହି ମହିଳା ସ୍ୱାସ୍ଥ୍ୟକର୍ମୀଜଣକ ନିଜକୁ କେବେ ଅସୁରକ୍ଷିତ ମନେ କରି ନ ଥିଲେ। ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର, ସେବିକା ବହୁ ଭଲ ସେବା ଯୋଗାଉଥିବା ପ୍ରକାଶ କରି ଆଦୌ ଭୟ ନ କରି କରୋନା ସହ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ତେବେ ଜାଣିଶୁଣି ଏହି ମହାମାରୀ ଭୂତାଣୁ ସଂସ୍ପର୍ଶରେ ନ ଆସି ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପରିଧାନ କରିବା, ବାରମ୍ବାର ନିଜକୁ ବିଶୋଧିତ କରିବା ବହୁ ମାତ୍ରାରେ ସହାୟକ ହୋଇଥାଏ।
ହସ୍ପିଟାଲ ପରିସରରେ ଥିବାବେଳେ ଜଣକୁ ଅଧିକ ଭୟ ଲାଗେ। ଏଣୁ ମାନସିକ ଅବସାଦ ବଢ଼ିଯାଏ। ସେହି ସମୟରେ ଯୋଗ ହିଁ ଏକମାତ୍ର ସାଥି ହୁଏ। ଏହା ମନକୁ ସ୍ଥିର କରିଥାଏ। ଏଣୁ ଯୋଗାଭ୍ୟାସ ସହ ପ୍ରାଣାୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି।
କୋଭିଡ ହସ୍ପିଟାଲ ପରିସରର ସେହି ବାତାବରଣ ସମ୍ପର୍କରେ ବର୍ଣ୍ଣନା କରି ଏହି ମହିଳା କରୋନା ଯୋଦ୍ଧା ବବିତା ଧୀର କହନ୍ତି ହସ୍ପିଟାଲ ପରିସରରେ ଭାଇଚାରାର ପରିବେଶ ତାଙ୍କୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଆହୁରି ଧୈର୍ଯ୍ୟ ଯୋଗାଇଥିଲା। ସବୁବେଳେ ମାସ୍କ ପିନ୍ଧୁଥିଲେ, ସାନିଟାଇଜର ବ୍ୟବହାର କରୁଥିଲେ, ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରୁଥିଲେ। ଏତେ ସତର୍କତା ଭିତରେ କେଉଁ ପରିସ୍ଥିତିରେ ସେ କରୋନା ଆକ୍ରାନ୍ତ ହେଲେ ତାହା ଆଜି ମଧ୍ୟ ପ୍ରହେଳିକା ମଧ୍ୟରେ ରହିଗଲା ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି। ସ୍ୱାମୀ ଆଶିଷ ରଞ୍ଜନ ନାୟକ ଓ ପିଲାଙ୍କ ସହ ପରିବାରକୁ ନେଇ ସେ ଏବେ ବେଶ ଖୁସି ଅଛନ୍ତି ବୋଲି ପ୍ରକାଶ କରି ପୁଣିଥରେ ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି। ସାତଦିନ ମୁକାବିଲାର କାହାଣୀ କହିବାବେଳେ ବବିତାଙ୍କ ସାହାସିକତା ବେଶ ବାରି ହୋଇପଡ଼ୁଥିଲା। ଆଜି ରାଜ୍ୟର ଅନେକ କରୋନା ଆକ୍ରାନ୍ତ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ। ଦୈନିକ ୫୦୦ରୁ ଊର୍ଦ୍ଧ୍ବ ଲୋକ ଏହି ମହାମାରୀ ଭୂତାଣୁ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେଉଛନ୍ତି। ଏଭଳି ସମୟରେ ବବିତାଙ୍କ ଏହି ବାର୍ତ୍ତା ସମସ୍ତଙ୍କୁ ବେଶ ପ୍ରେରଣା ଯୋଗାଇବ ଏହା ନିସନ୍ଦେହ।

Comments are closed.