କୋଭିଡ୍‌ ଯୋଦ୍ଧାଙ୍କୁ ସ୍ଥାୟୀ ନିଯୁକ୍ତ ମିଳୁ

ବଲାଙ୍ଗିର:ବଲାଙ୍ଗିର ଜିଲାରେ କରୋନା ମହାମାରୀ ସମୟରେ ଚୁକ୍ତିଭିତ୍ତିରେ ନର୍ସ, ଫାର୍ମାସିଷ୍ଟ ଓ ଟେକ୍ନିସିଆନ୍ ତଥା ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପ୍ରଥମେ ସେମାନଙ୍କୁ ୩ ମାସ ଅବଧି ପାଇଁ ଚୁକ୍ତି କରାଯାଇଥିବା କରୋନା ସ୍ଥିତିକୁ ଦେଖି ଅତିରିକ୍ତ ୬ ମାସ କାର୍ଯ୍ୟ ଅବଧି ବୃଦ୍ଧି କରାଯାଇଥିଲା। ଠିକା ନିଯୁକ୍ତିକୁ ୯ ମାସ ବିତିଛି। କାମ କରୁଥିବା ନର୍ସ, ଫାର୍ମାସିଷ୍ଟ ଓ ଟେକ୍ନିସିଆନ୍‌ମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ସେମାନଙ୍କ ଚାକିରି ଆଉ ଅଧିକ ଦିନ ନୁହେଁ। ତେଣୁ ଶୁକ୍ରବାର ବଲାଙ୍ଗିର ବିବିଏମ୍ଏଚ୍ ସମ୍ମୁଖରେ କରୋନା ମହାମାରୀ ସମୟରେ ଠିକା ନିଯୁକ୍ତି ପାଇଥିବା କର୍ମଚାରୀମାନେ ଅନଶନରେ ବସିଥିଲେ।
ସେମାନଙ୍କ କହିବା ଅନୁସାରେ କରୋନା ମହାମାରୀ ସମୟରେ ପରିବାର ଛାଡି କୌଣସି ଭୟ ନକରି ନିଷ୍ଠାର ସହ ସେମାନେ କାମ କରିଥିଲେ। ଦରକାର ବେଳେ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିଯୁକ୍ତି ଦେଇଥିବା ବେଳେ ଏବେ କରୋନା ପ୍ରକୋପ କମିବା ପରେ ସେମାନଙ୍କ ଚାକିରୀ ପ୍ରତି ବିପଦ ରହିଛି। ସେମାନଙ୍କୁ ଅନ୍ୟ ଜିଲାରେ ଛଟେଇ କରାଗଲା ଭଳି ଛଟେଇ କରିଦିଆଯିବାର ଭୟ ଘାରିଛି। ଏବେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ସ୍ଥାୟୀ ପଦବି ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। କୋଭିଡ ପରିଚାଳନାରେ ଠିକା ନିଯୁକ୍ତ ହୋଇଥିବା ନର୍ସ, ଫାର୍ମାସିଷ୍ଟ ଓ ଟେକ୍ନିସିଆନ୍‌ମାନଙ୍କୁ ଏହି ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରାଧିକାର ଦେଇ ନିଯୁକ୍ତି ଦେଲେ ସେମାନେ ଉପକୃତ ହେବେ। ଏଥିପ୍ରତି ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଧାରଣା ଦେଇଥିବା କର୍ମଚାରୀମାନେ ମତ ରଖିଛନ୍ତି।

Comments are closed.