ଗ୍ରୀଷ୍ମପ୍ରବାହକକୁ ଦୃଷ୍ଟିରେ ରଖି କରୋନା ଟିକାକରଣ ସମୟ ପରିବର୍ତ୍ତନ

ଭୁବନେଶ୍ବର: ଗ୍ରୀଷ୍ମପ୍ରବାହକକୁ ଦୃଷ୍ଟିରେ ରଖି କରୋନା ଟିକାକରଣ ସମୟ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୮ରୁ ଦିନ ୧୨ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୋନା ଟିକାକରଣ କରାଯିବ। ଆଜି ଏଥିନେଇ ସମସ୍ତ ଜିଲାପାଳମାନଙ୍କୁ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଲେଖିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ସିଡିଏମଓଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବାବେଳେ ଗ୍ରୀଷ୍ମପ୍ରବାହ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣର ଅବଧିରେ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ଟିକାକରଣ ସକାଳ ୮ଟାରୁ ୧୨ଟା ଓ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ କୋଭିଡ୍ ଟିକାକରଣ ହେବ। ଏବେ ରାଜ୍ୟରେ ଦୈନିକ ୨ଲକ୍ଷ କୋଭିଡ୍ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ତେଣୁ ଟିକା ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ପ୍ରତୀକ୍ଷା ଗୃହ, ଅବଜରଭେସନ ରୁମ୍‌, ଟିକାକରଣ ରୁମ ଓ ପାନୀୟ ଜଳ ବ୍ୟବସ୍ଥା ନିଶ୍ଚିତ ଭାବେ କରାଯିବ। ଏହି କେନ୍ଦ୍ରରେ ହାତ ଧୋଇବା, ମାସ୍କ ଲଗାଇବା ଓ ସାମାଜିକ ଦୂରତ୍ୱ ନିଶ୍ଚିତ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Representational Image, Photo : iStock

ରାଜ୍ୟରେ ଦୈନିକ ୨ଲକ୍ଷ କୋଭିଡ୍ ଟିକା ପ୍ରଦାନ ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏହି ଦୈନିକ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ କୁହାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲାଗୁଡ଼ିକୁ ନିଜର କୋଭିଡ୍ ଟିକା ସଂକ୍ରାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.