କରୋନା ବିରୋଧୀ ଲଢ଼େଇରେ ବ୍ୟବସାୟୀ, ଟିକା ନେଲେ ୫ ପ୍ରତିଶତ ରିଆତି

ବ୍ରହ୍ମପୁର: କୋଭିଡ୍‌ ମହାମାରୀ ବିରୋଧୀ ଲଢ଼େଇରେ ହିଞ୍ଜିଳିକାଟୁ ସହରର କେତେକ ବ୍ୟବସାୟୀ ନିଆରା ପଦକ୍ଷେପ ନେଇଛନ୍ତି। କୋଭିଡ ଟିକାର ଉଭୟ ପାନ ନେଇଥିଲେ ୫ପ୍ରତିଶତ ରିଆତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳରେ ଟିକାକୁ ନେଇ ଲୋକଙ୍କ ମନରେ ଭୟ ଥିବାବେଳେ ଏହି ଘୋଷଣା ଟିକା ଗ୍ରହଣ ପ୍ରତି ଅଞ୍ଚଳବାସୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ପ୍ରାୟ ଏକ ମାସରୁ ଅଧିକ ସମୟ ହେଲା ତାଲାବନ୍ଦ ଯୋଗୁ ଦୋକାନ ବଜାର ବନ୍ଦ ରହିଛି। ତାଲାବନ୍ଦ ପୂର୍ବରୁ ସ୍ବତଃପ୍ରବୃତ୍ତ ଭାବେ ବ୍ୟବସାୟୀମାନେ ଦିନର ଅଧା ସମୟ ଦୋକାନ ବନ୍ଦ ରଖୁଥିଲେ। ପ୍ରବଳ କ୍ଷତି ହୋଇଛି। ତଥାପି କୋଭିଡ୍‌ କଟକଣା ପାଳନରେ ହିଞ୍ଜିଳିକାଟୁ ସହରର ବ୍ୟବସାୟୀମାନେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଏହି କ୍ରମରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ସହରର କେତେକ ବ୍ୟବସାୟୀ। ଯେଉଁମାନେ ଟିକାର ଉଭୟ ପାନ ନେଇଥିବେ, ସେମାନଙ୍କୁ ୫ ପ୍ରତିଶତ ରିଆତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଜଣେ ବ୍ୟକ୍ତିଙ୍କ ପିଚ୍ଛା ଏହି ରିଆତି ମାତ୍ର ଥରେ ହିଁ ଲାଗୁ ହେବ। ସେହିଭଳି ଅନଲାଇନରେ ସାମଗ୍ରୀ କିଣିବା ଉପରେ ମଧ୍ୟ ରିଆତି ମିଳିବ।

Comments are closed.