ବ୍ରହ୍ମପୁର : ଟିକା ନେଲେ ପୁଲିସ ଅଧିକାରୀ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଶନିବାର କୋଭିଡ ଟିକାକରଣ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏଥର ଗୃହ ବିଭାଗ, ରାଜସ୍ବ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଟିକା ନେଇଛନ୍ତି। ଆମ୍ବପୁଆସ୍ଥିତ ପୁଲିସ ରିଜର୍ଭ ଠାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ଠାରୁ ଟିକାକରଣ ଆରମ୍ଭ ହୋଇଥିଲା। ତାଙ୍କ ପରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର, ବ୍ରହ୍ମପୁର ସହର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସମେତ ସହରର ସମସ୍ତ ୫ଟି ଥାନାର ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିଲେ । ଅପରପକ୍ଷେ ବ୍ରହ୍ମପୁର ଟାଉନ୍‌ହଲ୍‌ ଠାରେ ମଧ୍ୟ ଟିକାକରଣ କରାଯାଇଥିଲା। ସେଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସହ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିଲେ। ବ୍ରହ୍ମପୁର ମହାନଗର ନିଗମର କମିଶନର୍‌ ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏହାକୁ ଉଦ୍‌ଘାଟନ କରିଥିଲେ। ଡେପୁଟି କମିଶନର୍‌(ପରିମଳ) ରୋମାଞ୍ଚଳ ଖମାରୀ ଏବଂ ଡେପୁଟି କମିଶନର୍‌(ରାଜସ୍ବ) ଆଶୁତୋଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ସହରରେ ମୋଟ ୧୭୭୦ଜଣ ଟିକା ନେବା ପାଇଁ ନାମ ପଞ୍ଜିକୃତ କରିଛନ୍ତି। ଏଥିରେ ଗୃହ ବିଭାଗର ୯୮୧ଜଣ ରହିଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୭୫୦ଜଣ ଏବଂ ରାଜସ୍ବ ବିଭାଗର ୩୯ଜଣ ରହିଛନ୍ତି। ଗଞ୍ଜାମ ଜିଲାରେ ଏହି ୩ଟି ବିଭାଗର ମୋଟ ୧୩ହଜାର ୪୩ଜଣ ନାମ ପଞ୍ଜିକୃତ କରିଛନ୍ତି। ଏଥିରେ ଗୃହ ବିଭାଗର ୮ହଜାର ୭୧୭, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ହଜାର ୨୫୦ଜଣ ଏବଂ ରାଜସ୍ବ ବିଭାଗର ୨ ହଜାର ୭୬ଜଣ ରହିଛନ୍ତି। ଶନିବାର ୩୦ଟି ସ୍ଥାନରେ ମୋଟ ୩ହଜାର ୩୯ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

Comments are closed.