କୋଟିଏ ନେଲେଣି ପ୍ରଥମ ପାନ ଟିକା

-ତିନି ଜିଲାରେ ୨୯ ହଜାର ହିତାଧିକାରୀ,-ମୋଟ ପାନ ଟପିଲା ୧.୨୦ କୋଟି,- ରବିବାର ସାଢ଼େ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନରେ ରବିବାର ପ୍ରଥମ ପାନ ଟିକାକରଣ ସଂଖ୍ୟା ୧ କୋଟି ଟପିଛି। ମୋଟ ଟିକାକରଣ (ପ୍ରଥମ ଓ ଦ୍ବିତୀୟ ପାନ) ୧କୋଟି ୨୦ଲକ୍ଷ ଅତିକ୍ରମ କରିଛି। ସୋମବାର ୧୭୩୦ଟି କେନ୍ଦ୍ରରେ ୩ଲକ୍ଷ ୫୦ହଜାର ଟିକାଦାନ କରାଯିବାକୁ ଲକ୍ଷ୍ୟ ରହିଛି। କେନ୍ଦ୍ରରୁ ଗତ ତିନି ଦିନ ଧରି ରାଜ୍ୟକୁ ଟିକା ଯୋଗାଣ ବଢ଼ିବା ପରେ ଟିକା ଦାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ରବିବାର କେନ୍ଦ୍ରାପଡା, ପୁରୀ ଓ ରାୟଗଡାରେ ୨୯ହଜାର ୩୨ଜଣ ହିତାଧିକାରୀ ଟିକା ନେଇଛନ୍ତି। ୧୬୪ଟି କେନ୍ଦ୍ରରେ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ୧୮ରୁ ୪୪ବର୍ଷର ୧୪ହଜାର ୭୦୫ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବାବେଳେ ୧୦୮ଜଣ ମାତ୍ର ଦ୍ବିତୀୟପାନ ଟିକା ନେଇଛନ୍ତି।
ରବିବାର ଟିକାକରଣକୁ ନେଇ ଯୁବବର୍ଗଙ୍କ ପ୍ରଥମ ପାନ ଟିକାକରଣ ସଂଖ୍ୟା ୩୦ଲକ୍ଷ ୪୮ହଜାର ୯୦୧ରେ ପହଞ୍ଚିଥିବାବେଳେ ୧ଲକ୍ଷ ୬୨ହଜାର ୨୨୨ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି।
ସେହିପରି ଆଜି ୪୫ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୨ହଜାର ୭୩୦ ହିତାଧିକାରୀ ପ୍ରଥମ ପାନ ଏବଂ ୧୧ହଜାର ୪୮୫ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାକୁ ନେଇ ବରିଷ୍ଠ ବର୍ଗଙ୍କ ପ୍ରଥମ ପାନ ଟିକାକରଣ ସଂଖ୍ୟା ୬୧ଲକ୍ଷ ୮ହଜାର ୪୪୯ରେ ପହଞ୍ଚିଥିବାବେଳେ ୧୬ଲକ୍ଷ ୫୫ହଜାର ୪୪୦ ହିତାଧିକାରୀ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ଆଜି ଜଣେ ସ୍ବାସ୍ଥ୍ୟକର୍ମୀ ଓ ୩ ଜଣ କୋଭିଡ ଯୋଦ୍ଧା ଦ୍ବିତୀୟପାନ ଟିକା ନେଇଛନ୍ତି। ଏସବୁକୁ ମିଶାଇ ରାଜ୍ୟର ଟିକାକରଣ ସଂଖ୍ୟା ୧କୋଟି ୨୦ଲକ୍ଷ ୮୯ହଜାର ୪୨୩ରେ ପହଞ୍ଚିଥିବା ବିଭାଗ ପକ୍ଷରୁ ଜଣାଯାଇଛି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସନ୍ତୋଷବ୍ୟକ୍ତ କରିବା ସହିତ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟବାସୀଙ୍କ ସହଯୋଗ ଓ ସ୍ବାସ୍ଥ୍ୟକର୍ମୀଙ୍କ ତ୍ୟାଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

Comments are closed.