ଟିକାକରଣକୁ ସରକାରଙ୍କ ପ୍ରାଥମିକତା : ୩.୪୮ଲକ୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନେଲେଣି ଟିକା

ଟିକାକରଣ ଟପିଲା ୧୧.୫୯ଲକ୍ଷ

ଭୁବନେଶ୍ୱର : ଦେଶରେ କରୋନା ଆକ୍ରାନ୍ତ ପୁଣି ଥରେ ଫେରିବା ନେଇ ଆଶଙ୍କା ବଢ଼ି ଚାଲିଛି। ମହାରାଷ୍ଟ୍ର, କେରଳ, ତାମିଲନାଡୁ ଭଳି ବିଭିନ୍ନ ରାଜ୍ୟରେ ପରିସ୍ଥିତି ଜଟିଳ ଆଡକୁ ମୁହାଁଇଛି। ଏହି ପରିସ୍ଥିତିରେ ଓଡ଼ିଶାରେ କିଭଳି ଅଧିକରୁ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ ଓ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟିକା ଦେଇ ସଂକ୍ରମଣର ଶୃଙ୍ଖଳାକୁ ଭଙ୍ଗା ଯାଇପାରିବ ତା’ ଉପରେ ସ୍ବାସ୍ଥ୍ୟବିଭାଗ ଗୁରୁତ୍ବ ଦେଇଛି। ଏବେ ଦୈନିକ ଟିକାକରଣ ସଂଖ୍ୟା ୬୫ହଜାରକୁ ବଢ଼ି ସାରିଲାଣି। ଏଥିରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୪୮ ହଜାର ଛୁଇଁଲାଣି। ଖୁବଶୀଘ୍ର ଏହାକୁ ୧ଲକ୍ଷକୁ ବୃଦ୍ଧି କରାଯିବାକୁ ବିଭାଗ ଲକ୍ଷ୍ୟ ରଖିଛି।
ଏହି ପରିପ୍ରେକ୍ଷୀରେ ଆଜି ସୁଦ୍ଧା ତିନି ଲକ୍ଷ ୪୮ହଜାରରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇ ସାରିଲାଣି। ମାର୍ଚ୍ଚ ପହିଲାରେ ୧୧ହଜାର ୨୮୯ବରିଷ୍ଠ ନାଗରିକ ଟିକା ନେଇଥିବାବେଳେ ମଙ୍ଗଳବାର ୨୦ହଜାର ୯୫୨, ବୁଧବାର ୨୩ହଜାର ୭୯୨, ଗୁରୁବାର ୩୯ହଜାର ୮୪୯, ଶୁକ୍ରବାର ୧୮ହଜାର ୬୦୬,ଶନିବାର ୨୮ହଜାର ୫୯୭, ସୋମବାର ୪୮ହଜାର ୨୪ , ମଙ୍ଗଳବାର ୩୭ହଜାର ୪୦୭,ବୁଧବାର ୨୫ହଜାର ୭୬୩ , ଗୁରୁବାର ୨୨୮୨, ଶୁକ୍ରବାର ୪୭ହଜାର ୧୭୯ ଏବଂ ଆଜି ୪୭ ହଜାର ୭୨୦ ବରିଷ୍ଠ ନାଗରିକ ଟିକା ନେଇଛନ୍ତି। ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଟିକାକରଣ ସଂଖ୍ୟା ୩ଲକ୍ଷ ୪୮ହଜାର ୩୦୯କୁ ଛୁଇଁଛି।
ସେହିପରି ଆଜି ସୁଦ୍ଧା ରାଜ୍ୟରେ ୧୧ଲକ୍ଷ ୫୯ହଜାର ୭୯୦ଜଣଙ୍କୁ ଟିକା ଦିଆଯାଇଛି। ସେଥିମଧ୍ୟରେ ୩ଲକ୍ଷ ୫ହଜାର ୧୯୨ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ନେଇଥିବାବେଳେ ୨ଲକ୍ଷ ୩୨ହଜାର ୫୭କର୍ମୀ ଦ୍ବିତୀୟ ଡୋଜ ନେଇଛନ୍ତି। ସେହିପରି ୧ଲକ୍ଷ ୭୫ହଜାର ୭୨୬କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୮୦ହଜାର ୪୭୦ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି। ଏହାବାଦ୍ ୪୫ରୁ ୫୯ବର୍ଷ ମଧ୍ୟରେ ଜଟିଳ ରୋଗରେ ପୀଡ଼ିତ ଥିବା ୧୮ହଜାର ୪୬ ବ୍ୟକ୍ତିଙ୍କୁ ଟିକାଦାନ ହୋଇଛି।
ଆଜି ରାଜ୍ୟରେ ୫୦୯ଟି ଟିକାଦାନ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଥିଲା। ସେଥିରେ ୪୦ଟି କୋଭାକ୍ସିନ କେନ୍ଦ୍ର କରାଯାଇଥିଲା। ଏଥିରେ ୪୦୧ ସ୍ବାସ୍ଥ୍ୟକର୍ମୀ ଓ ୬୦୫ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଥିବାବେଳେ ୪୪୩୯ ସ୍ବାସ୍ଥ୍ୟକର୍ମୀ ଏବଂ ୮୮୩୬ କୋଭିଡ଼ ଯୋଦ୍ଧା ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି ୪୫ରୁ ୪୯ବର୍ଷ ମଧ୍ୟରେ ଆଜି ୨୮୩୭ ଜଟିଳ ରୋଗୀ ଟିକା ନେଇଥିବା ବେଳେ ୪୭ହଜାର ୭୨୦ ବରିଷ୍ଠ ନାଗରିକ ଟିକା ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.