ଆଜି କେବଳ ବଡ଼ ଡାକ୍ତରଖାନାରେ ଟିକାଦାନ

କୋଭିଡ୍‌ ଟିକା ଅଭାବ : ଜିଲାରେ ଟିକାକରଣ ବନ୍ଦ

କଟକ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିି ଚାଲିଥିବାବେଳେ କଟକ ଜିଲାରେ ଟିକାଦାନ କାର୍ଯ୍ୟକ୍ରମ ଗୁରୁତର ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ଟିକା ନେବା ପାଇଁ ଆଗ୍ରହ ଦେଖାଇ ଟିକାକରଣ କେନ୍ଦ୍ରରେ ଗହଳି ଲଗାଉଛନ୍ତି। କେନ୍ଦ୍ରରେ ଟିକା ମିଳୁନଥିବାରୁ ଅନେକ ବ୍ୟକ୍ତି ନିରାଶରେ ଫେରୁଛନ୍ତି। ଟିକା ଅଭାବ ଯୋଗୁଁ ଶୁକ୍ରବାର ଜିଲାର ୭୬ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ବନ୍ଦ ରହିଥିଲା। ଆଜି କେବଳ କଟକ ବଡ଼ ଡାକ୍ତରଖାନା, ସେକ୍ଟର-୭ ହସ୍ପିଟାଲରେ ଟିକା ଦିଆଯାଇଥିଲା। ଆଜି ଅଧିକାଂଶ ଟିକାକରଣ କେନ୍ଦ୍ରରେ ଟିକା ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଆସନ୍ତାକାଲି କେବଳ କଟକ ବଡ଼ ଡାକ୍ତରଖାନାରେ ଟିକାକରଣ ଜାରି ରହିବ ଏବଂ ସମସ୍ତ ଟିକାକରଣ କେନ୍ଦ୍ରରେ ଟିକାଦାନ ବନ୍ଦ ରହିବ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାକୁ ଆବଶ୍ୟକ ମୁତାବକ ଟିକା ଆସିନଥିବାରୁ ଆସନ୍ତାକାଲି ସମସ୍ତ ଟିକାଦାନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିବା ସମ୍ଭବ ହେବନି ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କୋଭିଡ ଟିକାକରଣ ପାଇଁ ଜିଲାରେ ପ୍ରାୟ ୭୯ଟି କେନ୍ଦ୍ର କରାଯାଇଛି। ଏହିସବୁ କେନ୍ଦ୍ରରେ ଦୈନିକ ୧୪ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି। ଟିକାକରଣ ବ୍ୟାପକ ହୋଇଥିବାବେଳେ ଜିଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ପର୍ଯ୍ୟାପ୍ତ ଟିକା ମହଜୁଦ ନାହିଁ। ଗତକାଲି ରାତି ସୁଦ୍ଧା ଜିଲାକୁ ଟିକା ନ ଆସିବାରୁ ଆଜି ୭୬ଟି ଟିକାଦାନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା। କେବଳ ୩ଟି ଟିକାଦାନ କେନ୍ଦ୍ରରେ ଟିକାକରଣ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଟିକା ନ ପହଞ୍ଚିବାରୁ ଆସନ୍ତାକାଲି ଜିଲାର ୭୮ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେବଳ କଟକ ବଡ଼ ଡାକ୍ତରଖାନାରେ ଟିକାକରଣ କାର୍ଯ୍ୟକ୍ରମ ପୂର୍ବପରି ଅବ୍ୟାହତ ରହିବ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟିକା ମହଜୁଦ ହେବା ପରେ ସମସ୍ତ ଟିକାକରଣ କେନ୍ଦ୍ରରେ ଟିକାଦାନ କାର୍ଯ୍ୟକ୍ରମ ସ୍ୱାଭାବିକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ପ୍ରକାଶ ଯୋଗ୍ୟ, ଜାନୁଆରୀ ୧୬ତାରିଖରେ ଜିଲା ସମେତ ସହରର ୧୧ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସିଟି ହସ୍ପିଟାଲ ସମେତ କଟକ ବଡ଼ ଡାକ୍ତରଖାନା, ଜଗତପୁର ସ୍ୱାସ୍ଥ୍ୟକେନ୍ଦ୍ର, ମର୍କତନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ିଆବଜାର ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯାଇଥିଲା। ବର୍ତ୍ତମାନ ଜିଲାରେ ପ୍ରାୟ ୭ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାଦାନ କରାଯାଉଛି। ୪୫ରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି।
ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ହସ୍ପିଟାଲରେ କରୋନା ଟିକା ଉପଲବ୍ଧ ହେଉଛି। ଘରୋଇ ହସ୍ପିଟାଲରେ ୨୫୦ଟଙ୍କାରେ କରୋନା ଟିକା ମିଳୁଥିବାବେଳେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ କରାଯାଉଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଜିଲା ସ୍ୱାସ୍ଥ୍ୟ ବିଭାଗରେ ଟିକା ନ ପହଞ୍ଚିଲେ ରବିବାର ଟିକାଦାନ କାର୍ଯ୍ୟକ୍ରମ ସ୍ୱାଭାବିକ ହେବା ନେଇ ଅନିଶ୍ଚିତତା ରହିଥିବା ଜଣେ ଅଧିକାରୀ କହିଛନ୍ତି।

Comments are closed.