ଆଦିବାସୀ ବହୁଳ ଜିଲ୍ଲାରେ ଟୀକାକରଣ: ସଚେତନତା ପାଇଁ ହାତ ମିଳାଇଲେ ୟୁନିସେଫ୍‍ ଓଡିଶା, ପିଆଇବି ଓ ସ୍ୱାସ୍ଥ୍ୟ ବିଭାଗ

ଓଡିଶାର ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ କୋଭିଡ୍‍କୁ ପରାସ୍ତ କରିବା ପାଇଁ କୋଭିଡ୍‍ ସୁରକ୍ଷିତ ଆଚରଣ ଓ ଟୀକାକରଣ ସମ୍ପର୍କରେ ସଚେତନ କରାଇବା ତଥା ପ୍ରଚାରପ୍ରସାର ପାଇଁ ୟୁନିସେଫ୍‍ ଓଡିଶା, ପିଆଇବି ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକାଠି ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ପତ୍ର ସୂଚନା କାର୍ଯ୍ୟାଳୟ ସହେଯୋଗରେ ୟୁନିସେଫ୍‍ ଓଡିଶା ଦ୍ୱାରା ଦେବଗଡ, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରେ କୋଭିଡ୍‍ ଏବଂ ଟୀକାକରଣ ଉପରେ ଏକ ଆଭାସୀ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଞ୍ଚଳିକ ଆଉଟ୍‍ରିଚ୍‍ ବ୍ୟୁରୋ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଦେବଗଡର ସିଡିଏମ୍‍ ଓ ପିଏଚ୍‍ଓ ଡଃ ମନୋଜ କୁମାର ଉପାଧ୍ୟାୟ, ସମ୍ବଲପୁରର ଏଡିପିଏଚ୍‍ଓ ଡଃ ବି.କେ ଦାସ, କୋରାପୁଟର ଏଫ୍‍ଡବ୍ଲ୍ୟୁ ଡଃ ନିଳମାଧବ ଶତପଥୀ, ଶିଶୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ପରିଚାଳକ ଡଃ ଏସ୍‍ ବି ପଣ୍ଡା, ୟୁନିସେଫ୍‍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ଏବଂ ୟୁନିସେଫ୍‍ ଓଡିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ଅନିଲ୍‍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋଭିଡ୍‍ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ୟୁନିସେଫ୍‍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ଏବଂ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ମହାମରୀ ସମୟରେ ସୂଚନା ଦେବାରେ ଗଣମାଧ୍ୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସୂଚନା ଏବଂ ଜ୍ଞାନର ଅଭାବ ସହିତ ଭୁଲ୍‍ ତଥ୍ୟ ଓ ଅନ୍ଧବିଶ୍ୱାସର ପ୍ରସାର ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଟିକାର ଦ୍ୱନ୍ଦ ବଢାଇଥାଏ। ତେଣୁ ଗଣମାଧ୍ୟମ ସୂଚନା ପ୍ରଚାର କରିବାରେ ଯତ୍ନବାନ ହେବା ସହ ସଠିକ୍‍ ଓ ବୈଜ୍ଞାନିକ ସୂଚନା ପହଞ୍ଚାଇବା ସୁନିଶ୍ଚିତ କରିବା ଉଚିତ୍‍ ବୋଲି ସେ ଅନୁରୋଧ କରି କହିଥିଲେ।

ଟୀକାକରଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଆଞ୍ଚଳିକ ଆଉଟ୍‍ରିଚ୍‍ ବ୍ୟୁରୋ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ। ଗଣମାଧ୍ୟମ ଟୀକାକରଣ ବିଷୟରେ ସଚେତନତା ସୃଷ୍ଟିକରିବା ଉଚିତ୍‍ ଏବଂ ଲୋକଙ୍କୁ ଟୀକାକରଣ ପାଇଁ ଅଧିକରୁ ଅଧିକ ଉତ୍ସାହିତ କରିବା ଉଚିତ୍‍। ବର୍ତ୍ତମାନ ଦେଶରେ ଆମେ ୧୦୦ କୋଟି ଟୀକାକରଣ କରିବାର ସଫଳତା ହସଲ କରି ସାରିଛୁ। ତଥାପି ଅହୁରି ସଫଳତା ପାଇବାପଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆଦିବାସୀ ପ୍ରବଣ ଅପହଞ୍ଚ ଅଞ୍ଚଳମାନଙ୍କରେ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସଚେତନ କରିବାରେ ଗଣମାଧ୍ୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ବୋଲି ସେ କହିଛନ୍ତି।

ୟୁନିସେଫ୍‍ ଓଡିଶାର ଡ. ଅନିଲ ପଟ୍ଟନାୟକ କୋଭିଡ୍‍ର ପ୍ରଭାବ ବିଷୟରେ କହିଛନ୍ତି ଯେ, ଏକାଧିକ ଜଟିଳ ରୋଗରେ ପୀଡିତ ଥିବା ବ୍ୟକ୍ତି, ରୋଗ ପ୍ରତିରୋଧକ ଶକ୍ତି କମ୍‍ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡ୍‍ ବହୁତ କ୍ଷତିକାରକ ଅଟେ। ମାତ୍ର ୫% ଲୋକ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଗୁରୁତର ଭାବରେ ଏହି ରୋଗରେ ପୀଡିତ ହେଉଛନ୍ତି। ଦ୍ୱିତୀୟ ଲହରରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଅଧିକାଂଶ ଯୁବକମାନେ ଏବେ କୋଭିଡରେ ପ୍ରଭାବିତ ହେଉଛନ୍ତି। କୋଭିଡ୍‍ ପରବର୍ତୀ ଯତ୍ନ ଏବଂ ଅମ୍ଳଜାନ ସ୍ତରରେ ଉନ୍ନତିର ବିଭିନ୍ନ ଦିଗ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପଲ୍ସ ଅକ୍ସିମିଟର ବ୍ୟବହାର କରି ଅମ୍ଳଜାନ ସ୍ତର ବାରମ୍ବାର ଯାଞ୍ଚ କରିବା ସହିତ ଅମ୍ଳଜାନ ସ୍ତରର ଉନ୍ନତି ପାଇଁ ପ୍ରୋନିଂ ପଦ୍ଧତି ମଧ୍ୟ ଦେଖାଇଥିଲେ ଏବଂ ଏହା ସହିତ କୋଭିଡ୍‍ରେ ଆକ୍ରାନ୍ତ ଥିବା ବ୍ୟକ୍ତି ନିଜର ଅମ୍ଳଜାନ ସ୍ତର ଯାଞ୍ଚ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଲୋକମାନଙ୍କୁ କୋଭିଡ୍‍ ନିୟମ ପାଳନ କରିବା ବିଷୟରେ ଆଲୋଚନା କରି ଶିଶୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ପରିଚାଳକ, ଡ. ଏସ୍‍ ବି ପଣ୍ଡା କହିଛନ୍ତି, ଆମ ସମସ୍ତଙ୍କୁ କୋଭିଡ୍‍ର ସମ୍ପୂର୍ଣ୍ଣ ଟୀକାକରଣ କରିବାକୁ ପଡିବ ଏବଂ ଟୀକାକରଣ ପରେ ଆମ ସମସ୍ତଙ୍କୁ କୋଭିଡ୍‍ର ଉପଯୁକ୍ତ ଆଚରଣ ଏପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜ୍‍ କରିବା ଆଦି ପାଳନ କରିବାକୁ ପଡିବ।

କୋରାପୁଟର ଏଫ୍‍ଡବ୍ଲ୍ୟୁ, ଡ. ନିଳମାଧବ ଶତପଥୀ ଟୀକାକରଣର ଫଳପ୍ରଦତା ବିଷୟରେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଅନୁମୋଦିତ ସମସ୍ତ ପାଞ୍ଚଟି ଟୀକାର ଉଚ୍ଚ କାର୍ଯ୍ୟକ୍ଷମତା ହାର ରହିଛି। କୋଭାକ୍ସିନ୍‍, କୋଭିସିଲ୍ଡ ସମେତ ଅନ୍ୟାନ୍ୟ ସମସ୍ତ ଟିକାଗୁଡିକର ହାରାହାରି କାର୍ଯ୍ୟକାରିତା ହାର ୭୦ରୁ ୭୫% ରହିଛି। ତେଣୁ ଆମେ ବିନା ଦ୍ୱିଧାରେ ସମସ୍ତେ ଟୀକା ନେବା ଉଚିତ୍‍। ଏହି କାର୍ଯ୍ୟକ୍ରମରେ ଟୀକାକରଣ ଡୋଜ୍‍, ଡୋଜ ମଧ୍ୟରେ ବ୍ୟବଧାନ ଏବଂ ଆଦିବାସୀ ତଥା ଗ୍ରାମୀଣ ଅଞ୍ଚଳମାନଙ୍କରେ କିପରି ପହଞ୍ଚିପାରିବା ସେ ବିଷୟରେ ଗଣମାଧ୍ୟମ ଦ୍ୱାରା ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

Comments are closed.