ପିଲାଙ୍କୁ କୋଭିଡ୍ ଟୀକା, ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ପଞ୍ଜିକୃତ

ଦେଶରେ ୧୫-୧୮ ବର୍ଷ ବୟସର ପିଲାମାନଙ୍କ କୋଭିଡ ଟୀକାକରଣ ପାଇଁ ଗତକାଲି ଠାରୁ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହେବା ପରେ ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ପିଲା ପଞ୍ଜିକରଣ କରିଛନ୍ତି। ଏହି ସରକାରୀ ପୋର୍ଟାଲ ଅନୁଯାୟୀ, ୧୫-୧୮ ବର୍ଷ ବୟସର ୩ ଲକ୍ଷ ୨୬ ହଜାର ୫୯୧ ପିଲା ପଞ୍ଜିକରଣ କରିଛନ୍ତି।

ପିଲାମାନଙ୍କ କୋଭିଡ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଉଭୟ ଟୀକାକରଣ କେନ୍ଦ୍ରରେ ଏବଂ ଅନଲାଇନ୍ ପଞ୍ଜିକରଣ ଉପଲବ୍ଧ ହେବ। ପିଲାମାନଙ୍କ ପାଇଁ ଟୀକାକରଣ ଜାନୁୟାରୀ ୩ରୁ ଆରମ୍ଭ ହେବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ସରକାରୀ ପରିଚୟ ପତ୍ର ବ୍ୟତୀତ ପିଲାମାନେ ସ୍କୁଲ ଏବଂ କଲେଜ ପରିଚୟ ପତ୍ର ବ୍ୟବହାର କରି ଟୀକାକରଣ ପାଇଁ ସ୍ଲଟ୍ ବୁକିଂ କରିପାରିବେ।

ପିଲାମାନେ ନିଜ ପିତାମାତାଙ୍କ ବିଦ୍ୟମାନ କୋ-ୱିନ ଆକାଉଣ୍ଟ ବ୍ୟବହାର କରି କିମ୍ବା ଏକ ସ୍ୱତନ୍ତ୍ର ମୋବାଇଲ୍ ନମ୍ବର ମାଧ୍ୟମରେ ଏକ ନୂତନ ଆକାଉଣ୍ଟ୍ ସୃଷ୍ଟି କରିବା ପରେ ନିଜକୁ ପଞ୍ଜୀକୃତ କରିପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ପୂର୍ବରୁ କହିଥିଲା ​​ଯେ ୨୦୦୭ କିମ୍ୱା ତାହା ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନେ ଏହି ଟିକା ନେବାକୁ ଯୋଗ୍ୟ ହେବେ।

ଔଷଧ ନିୟାମକ କର୍ତ୍ତୃପକ୍ଷ ଏହି ଟୀକାକରଣ ପାଇଁ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ ପ୍ରଦାନ କରିଛନ୍ତି।ଭାରତୀୟ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନଙ୍କ ଅନୁଯାୟୀ, ୧୫ରୁ ୧୮ ବର୍ଷ ବୟସର ପ୍ରାୟ ୨.୭୫ କୋଟି ପିଲା ଏହି ଟୀକାକରଣ ପାଇଁ ଯୋଗ୍ୟ ଅଟନ୍ତି।

Comments are closed.