ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକାକରଣ

ପ୍ରଥମ ଦିନରେ ଟୀକା ନେଲେ ଚିକିତ୍ସକଙ୍କ ସହ ୭୬ଜଣ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରଥମ ଦିନରେ ୭୬ଜଣ କରୋନା ଟିକା ନେଇଛନ୍ତି। ଏଥିରେ ୧୨ଜଣ ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ସମେତ ଚିକିତ୍ସା କର୍ମଚାରୀମାନେ ଅନ୍ତର୍ଭୁକ୍ତ ରହିଛନ୍ତି। ପ୍ରଥମ ଟିକା ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସ, ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସନ୍ନ ଗିରି, ଡାକ୍ତର ମାନସ ରଞ୍ଜନ ସାମନ୍ତରାୟ, ଡାକ୍ତର ତୈଲୋକ୍ୟନାଥ ମହନ୍ତଙ୍କ ସହ ୭୬ଜଣ ଟିକା ନେଇଥିଲେ। ସେବିକା କାମିନି ଗୋଚ୍ଛାୟତ ଜଣକ ପରେ ଜଣେ ଚିକିତ୍ସକ ଓ ଚିକିତ୍ସାକର୍ମଚାରୀଙ୍କୁ ଟିକାକରଣ କରିଥିଲେ। ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡି ସାଧାରଣ ସଂପାଦକ ରଞ୍ଜନ ଆଚାର୍ଯ୍ୟ ଉଦ୍‌ଘାଟନ କରି ଯୁଦ୍ଧକାଳୀନ ଭିତ୍ତିରେ ଜନସାଧାରଣଙ୍କୁ ପ୍ରତିଷେଧକ ବ୍ୟବସ୍ଥା ପ୍ରଦାନ ପାଇଁ ସରକାର ଯେଉଁ ଟୀକା ପ୍ରଦାନ କରୁଛନ୍ତି ତାହା ବାସ୍ତବିକ ଅଭିନନ୍ଦନୀୟ। ଅନ୍ୟଦେଶର ଟିକା ଅପେକ୍ଷା ଏହା ଅତ୍ୟନ୍ତ ସୁରକ୍ଷିତ, ନିରାପଦ ଓ ସଫଳ ଅଟେ। ରାଜ୍ୟ ସରକାରଙ୍କ ସୁପରିଚାଳନା ଓ କୋଭିଡ ନିୟନ୍ତ୍ରଣ ପାଇଁ ନେଇଥିବା ପଦକ୍ଷେପକୁ ଯେତେ ପ୍ରଶଂସା କଲେ କମ ହେବ ବୋଲି କହିଥିଲେ। ଆଠଗଡ ବିଡିଓ ଅରୁଣ କୁମାରଦାସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଥମେ ଟିକା ନେବା ପାଇଁ ପଞ୍ଜୀକୃତ ହୋଇଥିବା ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କୁ ଜଣକ ପରେ ଜଣେ ଟୀକା ପ୍ରଦାନ କରାଯାଇଥିଲା। ଟିକା ନେବା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ ବିଶ୍ରାମସ୍ଥାନରେ ନିୟମ ଅନୁଯାୟୀ ବିଶ୍ରାମ କରିବାକୁ ପଡିଥିଲା। ଆପାତ କାଳୀନ ବ୍ୟବସ୍ଥା ସ୍ୱରୂପ ସ୍ୱତନ୍ତ୍ର ବେଡ ଓ ଔଷଧ ରଖାଯାଇଥିଲା। ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଷ୍ଟାଫନର୍ସ, ଆଶା, ଅଙ୍ଗନୱାର୍ଡି କର୍ମୀ ଆଜିର ଏହି ଟୀକାକରଣରେ ସଂପୃକ୍ତହୋଇ ଟିକା ନେଇଥିଲେ। ଅବଶିଷ୍ଟ କର୍ମଚାରୀମାନଙ୍କୁ ଆସନ୍ତା ଦିନେ ଦୁଇଦିନ ଭିତରେ ଟିକାକରଣ କରାଯିବ।

Comments are closed.