ଏକ ପାନ ଟିକା ୯୬.୬% ମୃତ୍ୟୁ ପ୍ରତିରୋଧୀ

ବରାଦ ହେଲା ଆଉ ୬୬କୋଟି କୋଭିସିଲ୍ଡ ଟିକା, ୨ୟ ଲହର ଶେଷ ହୋଇନି

ନୂଆଦିଲ୍ଲୀ :  କରୋନା ଟିକାର ସଫଳତା ଓ ପ୍ରଭାବ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଉପସ୍ଥାପନ କରିଛି। ଗୁରୁବାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି କରୋନାର ଗୋଟିଏ ପାନ ଟିକା ସଂକ୍ରମଣ ପରବର୍ତ୍ତୀ ମୃତ୍ୟୁ ଆଶଙ୍କାକୁ ୯୬.୬% ପ୍ରତିରୋଧ କରିଥାଏ। ଆଉ ଯଦି ଜଣେ ଦୁଇଟି ପାନ ଟିକା ନେଇଥାଏ ତାର ଏପରି ମୃତ୍ୟୁ ଆଶଙ୍କା ୯୭.୫% ଦୂର କରିଥାଏ। ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ଟିକା ନେଇଥିବା ବ୍ୟକ୍ତିଙ୍କ ତଥ୍ୟକୁ ତର୍ଜମା ପୂର୍ବକ ମନ୍ତ୍ରଣାଳୟ ଏପରି କହିଛି। ଟିକାର ଏହି ପ୍ରଭାବ ସମସ୍ତ ବର୍ଗର ବ୍ୟକ୍ତି କ୍ଷେତ୍ରରେ ସଫଳ ରହିଛି। ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ମଧ୍ୟରୁ ୫୯% ଗୋଟିଏ ଲେଖାଏଁ ପାନ ଟିକା ନେଇସାରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ମାସରେ ଦୈନିକ ହାରାହାରି ୭୮.୧୦ ଲକ୍ଷ ପାନ ଟିକା ଦିଆଯାଉଛି। ଜାନୁଆରୀରେ ଦୈନିକ ଟିକା ହାର ୨.୩୫ ଲକ୍ଷ ଥିଲା। ଦେଶରେ ମୋଟ ୭୨.୨୧ କୋଟି ପାନ ଟିକାକରଣ କରାଗଲାଣି। ଟିକାକରଣ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବା ଲାଗି ଗୁରୁବାର ଆଉ ୬୬ କୋଟି ପାନ କୋଭିସିଲ୍ଡ ଟିକା କ୍ରୟ ଲାଗି ସରକାର ବରାଦ ଦେଇଛନ୍ତି। ଡିସେମ୍ବର ସୁଦ୍ଧା ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଠାରୁ ଏହି ଟିକା କ୍ରୟ କରାଯିବ। ସିରମ୍ ଇନଷ୍ଟିଚ୍ୟୁଟ ଏବେ ଏହାର ଟିକା ଉତ୍ପାଦନ ପରିମାଣ ବୃଦ୍ଧି ପୂର୍ବକ ମାସିକ ୨୦କୋଟି ପାନ ଟିକା ତିଆରି କରୁଛି। ଏହା ପୂର୍ବରୁ ଜୁଲାଇରେ ଭାରତ ବାୟୋଟେକ ଠାରୁ ସରକାର ୨୮.୫୦ କୋଟି ପାନ ଟିକା କ୍ରୟ ଲାଗି ବରାଦ କରିଥିଲେ।
ଅନ୍ୟପଟେ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଥିବା ବେଳେ ସରକାର କହିଛନ୍ତି ଯେ ଦେଶରୁ କରୋନାର ଦ୍ବିତୀୟ ଲହର ଶେଷ ହୋଇ ନାହିଁ। ଦେଶର ୩୫ଟି ଜିଲାରେ ସଂକ୍ରମଣ ହାର ୧୦ରୁ ଅଧିକ ରହିଛି। ସେହିପରି ୩୦ଟି ଜିଲାରେ ସଂକ୍ରମଣ ହାର ୫ରୁ ୧୦ ରହିଛି। ଗତ ସପ୍ତାହରେ ଦେଶରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୮.୫୯% କେବଳ କେରଳରୁ ବାହାରିଛନ୍ତି।

Comments are closed.