ଟିକାକରଣରୁ ୧୧ ଜିଲା ବାଦ୍‍

ଭୁବନେଶ୍ୱର : କୋଭିସିଲଡ ଟିକା ଅଭାବ ଯୋଗୁଁ ରାଜ୍ୟରେ ଟିକାକରଣ ଅଭିଯାନ ଟିକେ ଧିମେଇ ଯାଇଛି। ଏଥିପାଇଁ ମଙ୍ଗଳବାର ୧୧ଟି ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ମଙ୍ଗଳବାର ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ଟିକାକରଣ ହେବନାହିଁ। ରାଜ୍ୟ ସରକାରଙ୍କ ହାତରେ ଏବେ ମାତ୍ର ୧୯ହଜାର ୯୦୦ କୋଭିସିଲଡ ଟିକା ରହିଛି। ଏହାକୁ ପ୍ରାଥମିକତା ଭିତ୍ତିରେ ଏବେ ସାମ୍ବାଦିକ ଓ ଦ୍ୱିତୀୟ ପାନ ଅପେକ୍ଷା ହିତାଧିକାରୀଙ୍କୁ ଦିଆଯିବାକୁ ସରକାରଙ୍କ ନିର୍ଦେଶ ରହିଛି। ତେଣୁ ଅନ୍ୟମାନେ ଟିକା ଆସିଲେ ନେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ ସୋମବାର ସୁଦ୍ଧା ରାଜ୍ୟରେ ୫୯ଲକ୍ଷ ୪ହଜାର ୩୧୪ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ୪୫ବର୍ଷରୁ ଅଧିକ ବର୍ଗର ୪୩ଲକ୍ଷ ୪୭ହଜାର ୩୫୫ ହିତାଧିକାରୀ ପ୍ରଥମ ପାନ ଏବଂ ୫ଲକ୍ଷ ୭୪ହଜାର ୧୨୪ ଦ୍ୱିତୀୟ ପାନ ନେଇଛନ୍ତି। ଏହାବାଦ୍‍ ୩ଲକ୍ଷ ୨୪ହଜାର ୯୨୧ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପାନ, ୨ଲକ୍ଷ ୭୩ହଜାର ୩୪୬ ଦ୍ୱିତୀୟ ପାନ, ୨ଲକ୍ଷ ୧୭ହଜାର ୭୪୧ କରୋନା ସମ୍ମୁଖ ଯୋଦ୍ଧା ପ୍ରଥମ ପାନ ନେଇଥିବାବେଳେ ୧ଲକ୍ଷ ୬୦ହଜାର ୩୧୧ ଦ୍ୱିତୀୟ ପାନ ନେଇଛନ୍ତି। ଆଜି ୨୪୭ଟି କେନ୍ଦ୍ରରେ ୪୬ ହଜାର ୬୬୩ଜଣ ଟିକା ନେଇଛନ୍ତି। ସେଥିରେ ୪୫ବର୍ଷରୁ ଅଧିକ ବର୍ଗର ୯୨୪୩ଜଣ ପ୍ରଥମ ପାନ ଏବଂ ୨୯ହଜାର ୫୯୬ଜଣ ଦ୍ୱିତୀୟ ପାନ ନେଇଥିବାବେଳେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଅବଶିଷ୍ଟ ପାନ ଟିକା ନେଇଛନ୍ତି।

Comments are closed.