ଲକ୍ଷଣ ନଥିଲେ ପରୀକ୍ଷା ଲୋଡ଼ାନାହିଁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) କରୋନା ନମୁନା ପରୀକ୍ଷା ନେଇ ନୂଆ ମାର୍ଗଦର୍ଶିକା ଜାରି କରିଛି। ମାର୍ଗଦର୍ଶିକାରେ କେଉଁମାନଙ୍କ ନମୁନା ପରୀକ୍ଷା କରାଯିବ ଓ କେଉଁମାନଙ୍କ ନମୁନା ପରୀକ୍ଷା କରାଯିବ ନାହିଁ ତାହା କୁହାଯାଇଛି। ମାର୍ଗଦର୍ଶିକାରେ କୁହାଯାଇଛି ଯେ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ନଥିବ ସେମାନଙ୍କର ନମୁନା ପରୀକ୍ଷା କରାଯିବା ଦରକାର ନାହିଁ। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ନମୁନା ପରୀକ୍ଷା କରାଇବା ଜରୁରୀ ନୁହେଁ। ସଂସ୍ପର୍ଶରେ ଆସିଥିବା
ବ୍ୟକ୍ତି ଯଦି ବୟସ ଓ ଅନ୍ୟାନ୍ୟ ରୋଗ କାରଣରୁ ଉଚ୍ଚ ସମ୍ବେଦନଶୀଳ ମନେ କରୁଥିବେ ତେବେ ସେ ନମୁନା ପରୀକ୍ଷା କରାଇବା ଦରକାର। ଗୃହ ସଙ୍ଗରୋଧରୁ ବାହାରୁଥିବା ରୋଗୀ ପୁନର୍ବାର ନମୁନା ପରୀକ୍ଷା କରାଇବେ ନାହିଁ। ସେହିପରି କୋଭିଡ ସହାୟତା କେନ୍ଦ୍ରରୁ ଧାର୍ଯ୍ୟ ଅବଧି ପୂରଣ ପରେ ମୁକ୍ତ ହେଲେ ସେମାନେ ପୁନର୍ବାର ନମୁନା ପରୀକ୍ଷା କରିବା ଜରୁରୀ ନୁହେଁ। ଘରୋଇ ବିମାନ ଯାତ୍ରା ନିମନ୍ତେ କୋଭିଡ ପରୀକ୍ଷା ଦରକାର ନାହିଁ। ଆଇସିଏମ୍‌ଆର ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ନଥିବା ରୋଗୀଙ୍କ କୌଣସି ପ୍ରକାର ଅେସ୍ତ୍ରାପଚାର କିମ୍ବା ଗର୍ଭବତୀଙ୍କ ପ୍ରସୂତି ପୂର୍ବରୁ କରୋନା ନମୁନା ପରୀକ୍ଷା କରାଯିବ ନାହିଁ। ଯଦି ସମ୍ପୃକ୍ତ ରୋଗୀଙ୍କ ଠାରେ ଲକ୍ଷଣ ଥାଏ ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ନମୁନା ପରୀକ୍ଷା କରାଯିବ। କରୋନା ନମୁନା ପରୀକ୍ଷା ବାହାନାରେ କୌଣସି ପ୍ରକାର ଅେସ୍ତ୍ରାପଚାର କିମ୍ବା ଜରୁରୀ ଚିକିତ୍ସାକୁ ବିଳମ୍ବିତ କରାଯାଇପାରିବ ନାହିଁ। ଏପରିକି କରୋନା ନମୁନା ପରୀକ୍ଷା ସୁବିଧା ନଥିବା ଦର୍ଶାଇ କୌଣସି ରୋଗୀଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଫେରାଇ ପାରିବେ ନାହିଁ।
ଆନ୍ତର୍ଜାତିକ ବିମାନ ଯାତ୍ରା କରିବାକୁ ଥିବା ଯାତ୍ରୀ, ବିଦେଶରୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କୁ କରୋନା ନମୁନା ପରୀକ୍ଷା କରିବାକୁ ପଡିବ। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟ ସମ୍ବେଦନଶୀଳ ବ୍ୟକ୍ତି ବିଶେଷ ନିଜ ନମୁନା ପରୀକ୍ଷା କରାଇବା ଜରୁରୀ। ଲକ୍ଷଣ ଥିବା ସଂକ୍ରମିତଙ୍କ ସଙ୍ଗରୋଧ ପରେ ରାଟ୍‌, ନିଜସ୍ବ ପରୀକ୍ଷାରେ ନେଗେଟିଭ୍ ଆସିଲେ ମଧ୍ୟ ଆରଟି-ପିସିଆର ପରୀକ୍ଷା କରାଇବା ଜରୁରୀ। କରୋନା ନମୁନା ପରୀକ୍ଷା ଆରଟି-ପିସିଆର, ଟ୍ରୁନାଟ୍‌, ସିବିଏନ୍ଏଏଟି, ସିଆରଆଇଏସ୍‌ପିଆର, ଆରଟି-ଏଲ୍‌ଏଏମପି, ରାପିଡ ଆଣ୍ଟିଜେନ୍ ଦ୍ବାରା କରାଯାଇପାରିବ।

Comments are closed.