ଚିନ୍ତା ବଢ଼ାଉଛି କରୋନା ; ୧୫ ମୃତ

ପିପିଲିରେ ୨ ମାସରେ ୧୪୪୨ ସଂକ୍ରମିତ, ୧୦୧୪ ସୁସ୍ଥ

ପିପିଲି : କରୋନାର ଦ୍ୱିତୀୟ ଲହରୀକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳି ଯାଇଥିବା ବେଳେ ପିପିଲି ଅଞ୍ଚଳରେ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ପିପିଲି ଏନ୍‍ଏସି ଅଞ୍ଚଳରୁ ଗତ ୨ ମାସରେ ୧୪୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧୪ ଜଣ ଇତିମଧ୍ୟରେ ସୁସ୍ଥ ହୋଇ ସାରିଥିବା ଓ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି।
ଗତ ଅପ୍ରେଲ ମାସରେ ୪୦୨୦ ଜଣଙ୍କର କୋଭିଡ୍‍ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଗତ ମଇ ମାସରେ ୪୭୯୫ ଜଣଙ୍କର କୋଭିଡ୍‍ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅପ୍ରେଲ ମାସରେ ମୋଟ୍‍ ନମୁନା ପରୀକ୍ଷାର ପ୍ରାୟ ୮ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଇ ସାସରେ ସଂକ୍ରମିତ ହାର ପ୍ରାୟ ୨୪ ପ୍ରତିଶତ ରହିଛି। ଅର୍ଥାତ ଅପ୍ରେଲ ମାସ ଠାରୁ ମଇ ମାସରେ ସଂକ୍ରମିତ ହାର ତିନି ଗୁଣା ରହିଛି। ପିପିଲି ଅଞ୍ଚଳରୁ କରୋନାରେ ସଂକ୍ରମିତ ହୋଇ କେବଳ ମଇ ମାସରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ବଜାର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ଏବେ ଜ୍ୱର, ଥଣ୍ଡା, କାଶ ଆଦି ବ୍ୟାପିଥିବା ବେଳେ ଅଧିକାଂଶ ଲୋକେ ଭୟରେ ନିଜର କୋଭିଡ୍‍ ପରୀକ୍ଷା କରାଉ ନାହାନ୍ତି। କରୋନା ସଂକ୍ରମଣର ସମସ୍ତ ଲକ୍ଷଣ ଥିବା ସତ୍ତ୍ବେ ଅଧିକାଂଶ ଲୋକେ ଏହାକୁ ଲୁଚାଇ ସ୍ଥାନୀୟ ଅଞ୍ଚଳର ଘରୋଇ ଚିକିତ୍ସାଳୟ ଓ କେତେକ କ୍ଲିନିକ୍‍ରେ ଚିକିତ୍ସିତ ହେଉଛନ୍ତି। ଏପରିକି ନିଜର କୋଭିଡ୍‍ ପରୀକ୍ଷା ନକରାଇ ବିନା ଡାକ୍ତରୀ ପରାମର୍ଶରେ ଏମାନେ ଔଷଧ ଦୋକାନରୁ ବଟିକା ଖାଉଥିବା ବେଳେ ସାଙ୍ଗସାଥିଙ୍କ ସହ ସର୍ବସାଧାରଣରେ ଗୁଲିଖଟି କରୁଥିବା ଭଳି ଗୁରୁତର ଅଭିଯୋଗ ଆସୁଛି।

ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳ ଘୋଷଣା କରାନଯିବା ଓ ସଂକ୍ରମିତଙ୍କ ଘର କାନ୍ଥରେ ସୂଚନା ମରାନଯିବା ଦ୍ୱାରା ଏହା ଅନେକ ଅମାନିଆ ସଂକ୍ରମିତଙ୍କୁ ବେଶ୍‍ ସୁହାଉଛି। ଏପରିକି କେତେକ ସଂକ୍ରମିତ ବ୍ୟକ୍ତି କୋଭିଡ୍‍ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ବୁଲିବା ଓ ଖୋଲା ସ୍ଥାନରେ ମଳତ୍ୟାଗ କରିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଘଟଣା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। ଅମାନିଆଙ୍କ ଏଭଳି ଆଚରଣକୁ ନିୟନ୍ତ୍ରଣ କରାନଗଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲି ବ୍ଲକ ଓ ଏନ୍‍ଏସିର ବିଭିନ୍ନ ସ୍ଥାନରେ ଦୈନିକ ୪ଟି ଲେଖାଏଁ ଶିବିର କରାଯାଇ ଲୋକଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ୍‍ ପରୀକ୍ଷା କରାଯାଉଥିବା ବେଳେ ପୁଲିସ ଓ ପ୍ରଶାସନ ପକ୍ଷରୁ ଦୈନିକ ସାମାଜିକ ଦୂରତା ଓ ତୁଣ୍ଡି ଧରପଗଡ ଚାଲିଛି। ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜର କୋଭିଡ୍‍ ପରୀକ୍ଷା କରାଇବାକୁ ପିପିଲି ବ୍ଲକ ପ୍ରୋଗ୍ରାମ ହେଲ୍‍ଥ ଅଫିସର (ବିପିଏଚ୍‍ଓ) ତଥା ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବିନୟ କୁମାର ପଣ୍ଡା ସମସ୍ତଙ୍କୁ ପରାମର୍ଶ ଦେବାସହ ସଂକ୍ରମିତ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଔଷଧ ସେବନ କରି ଗୃହ ସଂଗରୋଧରେ ରହିବାକୁ କହିଛନ୍ତି। ଏଥିସହ ସବୁବେଳେ ମୁହଁରେ ତୁଣ୍ଡି ପରିଧାନ, ହାତକୁ ନିୟମିତ ଧୋଇବା, ସାମାଜିକ ଦୂରତାକୁ ପାଳନ ଓ ବିନା କାରଣରେ ଘରୁ ବାହାରକୁ ନବାହାରିବା ଭଳି କୋଭିଡ୍‍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.