ସମ୍ବଲପୁର କୋଭିଡ ହସପିଟାଲରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ !

ସମ୍ବଲପୁର(ସହର)/ବୁର୍ଲା : ସମ୍ବଲପୁର କୋଭିଡ ହସପିଟାଲରେ ସୋମବାର ସକାଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ, ଏନେଇ ସରକାରୀସ୍ତରରେ ପୁ​ଷ୍ଟି ହୋଇନାହିଁ। ଉକ୍ତ ୫୦ ବର୍ଷ ବୟସ୍କ ବ୍ୟକ୍ତିଜଣକ ରାଉରକେଲାରୁ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ବୁର୍ଲା ଭିମସାର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଭିମସାରରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯିବା ସହ କୋଭିଡ ଟେଷ୍ଟ ସକାଶେ ସ୍ୱାବ ସଂଗ୍ରହ କରାଯାଇଥିଲା। ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଗତ ୨୪ ତାରିଖରେ ସମ୍ପୃକ୍ତ ରୋଗୀଙ୍କୁ ସମ୍ବଲପୁର କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁ ହେବାପରେ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କିନ୍ତୁ ପରିବାର ଲୋକେ ଆସି ଶବ ନେବାକୁ ଅକ୍ଷମତା ପ୍ରକାଶ କରିବା ସହ ପଠାଇଦେବାକୁ ଅନୁରୋଧ କରିବାରୁ ପରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରି ଶବକୁ ରାଉରକେଲା ପଠାଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଗତ ୨୧ ତାରିଖ ଉକ୍ତ ବ୍ୟକ୍ତିଙ୍କୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଅଣାଯାଇଥିବାବେଳେ କୋଭିଡ଼ ସ୍କ୍ରିନିଂ କାଉଣ୍ଟରରେ ସ୍କ୍ରିନିଂ ପରେ ତାଙ୍କୁ କରୋନା ସଂନ୍ଦିଗ୍ଧ ଭାବରେ ଆଇସୋଲେସନ ବିଭାଗରେ ଭର୍ତ୍ତି କରାଯାଇ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭିମସାର ଆଇସୋଲେସନ୍‌ ୱାର୍ଡରେ ଥିବା ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ୨୨ ତାରିଖ ରାତିରେ ତାଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ରାଉରକେଲା କୋଭିଡ ହସପିଟାଲକୁ ପଠାଯିବାକୁ ଉଦ୍ୟମ ହୋଇଥିଲେ ହେଁ ବ୍ୟବସ୍ଥା ନଥିବା କହି ସେଠାକାର ହସପିଟାଲ କର୍ତ୍ତୃପକ୍ଷ ରୋଗୀକୁ ନେବାପାଇଁ ମନା କରିଥିବା କୁହାଯାଉଛି। ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ବୁର୍ଲା ଭିମସାର ମେଡିକାଲ ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।

Comments are closed.