କରୋନା ଆରୋଗ୍ୟ ହାର ୭୭.୩୨%କୁ ବୃଦ୍ଧି : ମୃତ୍ୟୁ ହାର ୧.୭୨ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇ ୭୭.୩୨ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୩ ହଜାର ୬୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ୍‍ ଆରୋଗ୍ୟ ସଂଖ୍ୟା ୩୨ ଲକ୍ଷ ପାଖାପାଖି ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ହାରରେ କ୍ରମାଗତ ବୃଦ୍ଧି ପାଇବା ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ଏବଂ ବର୍ତ୍ତମାନ ଏହା ୨୦.୯୬ ପ୍ରତିଶତ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ତୁଳନାରେ ଆରୋଗ୍ୟ ହାର ୩.୭ ଗୁଣ ବୃଦ୍ଧି ପାଇଛି। ଗତ ୨ ମାସ ଧରି ଏହି ହାର ୪ ଗୁଣରୁ ଅଧିକ ରହିଛି। ପରୀକ୍ଷା, ଚିହ୍ନଟ ଏବଂ ଚିକିତ୍ସା ଆଦି ସଫଳ ପଦକ୍ଷେପ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟୁ ହାର ହ୍ରାସ ପାଉଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୦ ହଜାର ୬୩୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୨ରେ ପହଞ୍ଚିଛି। ଏବେ ୮ ଲକ୍ଷ ୬୨ ହଜାର ୩୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଗୋଟିଏ ଦିନରେ ୧୦୬୫ ଜଣଙ୍କ ମୃତ୍ୟୁକୁ ମିଶାଇ ଦେଶରେ କରୋନାଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୭୦ ହଜାର ୬୨୬ରେ ପହଞ୍ଚିଛି। ଦେଶରେ ଏବେ କରୋନା ମୃତ୍ୟୁ ହାର ୧.୭୨ ପ୍ରତିଶତକୁ ହ୍ରାସ ପାଇଛି।

ଗତ ୨୪ ଘଣ୍ଟାର ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶରୁ ଚିହ୍ନଟ ହୋଇଛନ୍ତି।

Comments are closed.