ମୟୂରଭଞ୍ଜ ସଂକ୍ରମଣ ୧୮%

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଧୀରେ ଧୀରେ କମୁଥିଲେ ହେଁ ମୟୂରଭଞ୍ଜରେ ଏବେ ବି ସଂକ୍ରମଣ ହାର ରେକର୍ଡ଼ ସ୍ତରରେ ରହିଛି। ବୁଧବାର ରାଜ୍ୟରେ ୭୨ ହଜାର ୬୪୫ ନମୁନା ପରୀକ୍ଷା ହୋଇଥିବାବେଳେ ୨ ହଜାର ୫୪୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ମୟୂରଭଞ୍ଜରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲାରେ ଗତକାଲି ୬୯୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଠାରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଜିଲାର ଦୈନିକ ସଂକ୍ରମଣ ହାରକୁ ସର୍ବାଧିକ ୧୭.୯୪ ପ୍ରତିଶତକୁ ନେଇଯାଇଛି। ରାଜ୍ୟର ସଂକ୍ରମଣ ହାର ୩.୫ ପ୍ରତିଶତକୁ ଖସି ଆସିଥିବାବେଳେ ମୟୂରଭଞ୍ଜର ସଂକ୍ରମଣ ହାର ଏତେ ବଢିବା ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତିତ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ରଙ୍କ କହିବାନୁଯାୟୀ, ଜିଲାରେ ସଂକ୍ରମଣ ହାର ୯ ପ୍ରତିଶତ ପାଖାପାଖି ରହିଥିଲା। ତେବେ ସ୍ଥାନୀୟ ସମ୍ପର୍କରୁ ଅଧିକ ବ୍ୟକ୍ତି ଚିହ୍ନଟ ହେବା ଯୋଗୁଁ ଏହି ହାର ବଢ଼ିଯାଇଛି। ଆଗାମୀ ଦିନରେ ଜିଲାରେ ସଂକ୍ରମଣ ହାର କିଭଳି ନିୟନ୍ତ୍ରଣକୁ ଆସିବ ସେ ନେଇ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ
ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୩୨ ହଜାର ୩୩୦ରେ ପହଞ୍ଚିଛି। ଏଥିରେ ଆଜି କଟକରୁ ସର୍ବାଧିକ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୪, ବାଲେଶ୍ବରରୁ ୨୨୧,କେନ୍ଦ୍ରାପଡ଼ାରୁ ୧୬୭, ପୁରୀରୁ ୧୫୦, ଯାଜପୁରରୁ ୧୩୯, ଜଗତସିଂହପୁରରୁ ୧୨୮, ଭଦ୍ରକରୁ ୧୦୦ ଆକ୍ରାନ୍ତ ବାହାରିଛନ୍ତି। ବଲାଙ୍ଗୀରରୁ ୨, ସୁବର୍ଣ୍ଣପୁରରୁ ୫, ବୌଦ୍ଧ ଓ ଦେବଗଡ଼ରୁ ୭ ଲେଖାଏଁ, ନୂଆପଡାରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ ଜିଲାଗୁଡିକ ୨ ଅଙ୍କ ଭିତରେ ରହିଛି।
ଅନ୍ୟପକ୍ଷରେ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଆଜି ସର୍ବାଧିକ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକ ସଂଖ୍ୟା ୪,୪୧୫କୁ ଛୁଇଁଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦ ଜଣ ରହିଥିବା ବେଳେ ବରଗଡ଼, ଗଞ୍ଜାମ, ନୟାଗଡ, ପୁରୀ ଓ ସୁନ୍ଦରଗଡ଼ରେ ୫ ଲେଖାଏଁ, କୋରାପୁଟ, କଳାହାଣ୍ଡି, ଢେଙ୍କାନାଳରେ ୪ ଲେଖାଏଁ, ଅନୁଗୋଳ ଓ ମୟୂରଭଞ୍ଜରେ ୩ ଲେଖାଏଁ, ବାଲେଶ୍ବର, କଟକ, ଦେବଗଡ଼, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଆଜି ରାଜ୍ୟରେ ଆଉ ୨୮୯୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୧୭୮କୁ ବୃଦ୍ଧି ପାଇଛି। ଆଜିର ସୁସ୍ଥତା ପରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୬୮୪କୁ ହ୍ରାସ ପାଇଛି।

Comments are closed.