ରାଜ୍ୟରେ ଶନିବାର ଓ ରବିବାର ସଟ୍‌ଡାଉନ୍, ଘୋଷଣା କଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର

କରୋନା କଟକଣା ନେଇ ରାଜ୍ୟ ସକରାରଙ୍କ ବଡ଼ ଘୋଷଣା

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ନାଇଟ କର୍ଫ୍ୟୁ କରିବା ସହ ଏବେ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଲାଗୁ କରିଛନ୍ତି। ଶନିବାର ଏବଂ ରବିବାର ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ରାଜ୍ୟରେ ବିଭିନ୍ନ କାମ ପାଇଁ ସରକାର କଟକଣା ଲାଗୁ କରିଥିବା ବେଳେ, ବିବାହ, ଶୁଦ୍ଧିକ୍ରିୟା, ଦୋକାନବଜାର, ପରିବା ହାଟ ଏବଂ ମଲ ପାଇଁ ମଧ୍ୟ କଟକଣା ଜାରି କରିଛନ୍ତି।  ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ଆଜି ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ କରାଯିବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ସବୁ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ ଅପ୍ରିଲ୍‌ ୨୪ଠାରୁ କାର୍ଯ୍ୟକାରୀ ହେବ। ସଟ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ଅନ୍ୟମାନଙ୍କୁ ସାଧାରଣରେ ଚଳପ୍ରଚଳ ପାଇଁ ଅନୁମତି ଦିଆଯିବ ନାହିଁ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ଓ କୋଭିଡନ୍‌ ନିୟମ ପାଳନ ପାଇଁ ଏସ୍‌ଆର୍‌ସି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ଆମେ ସମସ୍ତେ ପ୍ରସ୍ତୁତ ହେଉଛୁ। ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରାଯାଇଛି। ରାଜ୍ୟର ସମସ୍ତ ଜିଲାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ ଏବଂ ଯେଉଁମାନଙ୍କ ଆବଶ୍ୟକତା ରହିଛି ସେମାନେ ଉପଯୁକ୍ତ ପ୍ରମାଣ ଦର୍ଶାଇ ପ୍ରଶାସନଙ୍କଠାରୁ ଅନୁମତି ନେଇପାରିବେ। ଯେଉଁମାନେ ସରକାରଙ୍କ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନର  ପ୍ରକାଶ କରିଛନ୍ତି।

ଆସନ୍ତା ୨୧ ତାରିଖରୁ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି। ନୂଆ ନିୟମ ମୁତାବକ ବାହାଘରରେ ସର୍ଵମୋଟ ୫୦ ଜଣ ହିଁ ରହିପାରିବେ। ଏମାନଙ୍କ ମଧ୍ୟରେ ବ୍ରାହ୍ମଣ, କ୍ୟାଟରିଂ ଓ ପରିବାର ଲୋକ ଅନ୍ତର୍ଭୁକ୍ତ ରହିବେ | ଯେଉଁ ୫୦ ଜଣ ଲୋକ ରହିବେ ସେମାନଙ୍କ ତାଲିକା ପ୍ରଶାସନକୁ ପୂର୍ବରୁ ଦିଆଯିବ। ନିର୍ଦ୍ଧାରିତ ଦିନର ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ସମସ୍ତ ଅତିଥିଙ୍କ ତାଲିକା ଦିଆଯିବ। ଯେଉଁମାନେ ବାହାଘରକୁ ଆସିବେ ସେମାନଙ୍କ ନାମ ବାହାଘର ହେଉଥିବା ସ୍ଥାନରେ ମାରିବାକୁ ନିୟମ କରାଯାଇଛି। ଅନୁମତି ନ ନେଇ କିମ୍ବା ନିୟମ ଭାଙ୍ଗି ବାହାଘର କିମ୍ବା ପ୍ରୋସେସନ କଲେ ବ୍ୟବହୃତ ଗାଡି, ଡିଜେ,ସାଉଣ୍ଡ ଇତ୍ୟାଦି ଜିନିଷ ଜବତ ହେବ। ନିୟମ ଭାଙ୍ଗିଲେ ଉଭୟ ଆୟୋଜକ ଓ ଭେନ୍ୟୁ ମାଲିକ ଉପରେ କୋଭିଡ ନିୟମ ଉଲଙ୍ଘନ ମାମଲା ରୁଜୁ ହେବ ଓ ଭେନ୍ୟୁ ସିଲ କରାଯିବ। ସେହିପରି ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ହିଁ ରହିପାରିବେ। ଏମାନଙ୍କ ମଧ୍ୟରେ ପରିବାର ସଦ୍ୟ ଓ ବ୍ରାହ୍ମଣ ରହିବେ। ସେହିପରି ବାହାଘର ମଣ୍ଡପରେ ଯେଭଳି ସାମାଜିକ ଦୂରତା ବଜାୟ ରହିବ, ସେ ବାବଦରେ ଆୟୋଜନକାରୀ ନଜର ରଖିବେ। ଅନ୍ୟପକ୍ଷରେ ଜନ୍ମବାର୍ଷିକୀ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧବାର୍ଷିକୀ ଭଳି ସାମାଜିକ ଉତ୍ସବଗୁଡ଼ିକ ଘର ଭିତରେ ହିଁ ସୀମିତ ହେବ। ପରିବାରର ସଦସ୍ୟ ଏକାଠି ହୋଇ ଏହା ପାଳନ କରିପାରିବେ। ଏଭଳି ଉତ୍ସବରେ ବାହାରର ଅତିଥି ଯୋଗ ଦେଇ ପାରିବେ ନାହିଁ।

Image Source : Amar ujala

ଯାତ୍ରା, ଅପେରାକୁ ବନ୍ଦ କଲେ ରାଜ୍ୟ ସରକାର। ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ। କିନ୍ତୁ ସବୁଠି ପାଳନ ହେବ କୋଭିଡ୍ କଟକଣା। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦେଇଛନ୍ତି ସରକାର।

ରାଜ୍ୟରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ଜିଲା ଗୁଡିକରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ ରାଜ୍ୟ ସରକାର ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ ବନ୍ଦ କରିଛନ୍ତି। ସଟ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସେବା କଟକଣାକୁ ବାଦ୍ ଦେଲେ ସବୁ ବନ୍ଦ ରହିବ ବୋଲି ଏସଆରସି ଘୋଷଣା କରିଛନ୍ତି। ସ୍ଵାସ୍ଥ୍ୟ ସେବାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଯା ଆସ କରି ପାରିବେ।

ସଟ୍‌ଡାଉନ୍ ସମୟରେ ପୁଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ୍, ଗ୍ୟାସ୍, ଜଳଯୋଗାଣ କର୍ମଚାରୀ, ସ୍ଵେରେଜ ଏବଂ ବିଦ୍ୟୁତ୍ ଯୋଗାଣ ଓ ବିତରଣ କର୍ମଚାରୀ ଏହି କଟକଣାରୁ ମୁକ୍ତ ରହିବେ। କମିଶନରେଟ୍ ପୁଲିସ ଓ ଜିଲା ପୁଲିସ ଦ୍ଵାରା ଚିହ୍ନିତ ସାମ୍ଵାଦିକ କଟକଣାମୁକ୍ତ ରହିବେ। ଏହା ବ୍ୟତୀତ ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ପାରିବେ। ଏହି ସମୟରେ ମାଲ ପରିବହନ, ମାଲ୍ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ଯ୍ୟ ଚାଲି ପାରିବ ବୋଲି ଏସଆରିସି ଘୋଷଣା କରିଛନ୍ତି।

ଏହା ପୂର୍ବରୁ ରାଜ୍ୟର ୨୦ଟି ଜିଲ୍ଲାରେ ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଥିଲା। ଛତିଶଗଡ ସୀମାନ୍ତ ବାକି ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲଗାଯାଇଥିଲା। ଏପରିକି ଏହି ୧୦ ଜିଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ କରାଯାଇଥିଲା।

 

ରାଜ୍ୟ ସରକାରଙ୍କ ପକ୍ଷରୁ ଦୋକାନ ଓ ମଲ୍‌ ପାଇଁ ଜାରି କରାଯାଇଥିବା ମାର୍ଗ ଦର୍ଶିକା

  • ସମସ୍ତ ଦୋକାନ ମାଲିକ / ଦୋକାନୀ ଏବଂ ମାର୍କେଟ ଆସୋସିଏସନର ଦାୟିତ୍ବ ହେବ ଯେ ସେମାନଙ୍କର ସମସ୍ତ କର୍ମଚାରୀ ଦୋକାନ ପରିସରରେ ରହିବା ସମୟରେ ସବୁବେଳେ ମାସ୍କ ପିନ୍ଧିବେ। କୌଣସି ପରିସ୍ଥିତିରେ, ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବ ନାହିଁ।
  • ଦୋକାନକୁ ଆସୁଥିବା ସମସ୍ତ କ୍ରେତା / ପରିଦର୍ଶକ / ଗ୍ରାହକ ବାଧ୍ୟତାମୂଳକ ଭାବରେ ମାସ୍କ ବ୍ୟବହାର କରିବେ। ମାର୍କେଟ ଆସୋସିଏସନ୍ / ଦୋକାନ ମାଲିକମାନେ ଏହାକୁ ଚିଠି ଜରିଆରେ ଜଣାଇବେ।
  • ଦୋକାନର ପରିଦର୍ଶକ / କ୍ରେତାଙ୍କ ସଂଖ୍ୟା ମାର୍କେଟ ଆସୋସିଏସନ୍ / ଦୋକାନ ମାଲିକମାନଙ୍କ ଦ୍ବାରା ନିୟନ୍ତ୍ରିତ ହେବ। ଦୋକାନୀଠାରୁ କ୍ରେତାଙ୍କ ମଧ୍ୟରେ ଏବଂ କ୍ରେତାଠାରୁ କ୍ରେତାଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବ।
  • ଦୋକାନକୁ ପ୍ରବେଶ କରାଇବା ପୂର୍ବରୁ ଦୋକାନୀ କ୍ରେତାଙ୍କ ଥର୍ମାଲ ସ୍କ୍ରିନିଂ କରାଇବା ସହ ସେମାନଙ୍କୁ ସାନିଟାଇଜର ଯୋଗାଇ ଦେବେ।
  • କୌଣସି ପରିସ୍ଥିତିରେ ଦୋକାନ ଭିତରେ ଅତ୍ୟଧିକ ଭିଡ଼କୁ ଅନୁମତି ଦିଆଯିବ ନାହିଁ। କରୋନା ସୁରକ୍ଷା ପ୍ରୋଟୋକଲଗୁଡିକ ପାଳନ ନ କରିବା, କିମ୍ବା କରୋନା ସୁରକ୍ଷା ନିୟମାବଳୀ ସମ୍ବନ୍ଧରେ କୌଣସି ପୂର୍ବ ନିର୍ଦ୍ଦେଶର ଉଲ୍ଲଂଘନ କରିବା ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଏବଂ ମହାମାରୀ ରୋଗ ଆଇନ, ୧୮୯୭ ଅନୁଯାୟୀ ଅପରାଧ ହେବ। ବାଣିଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷ ନିୟମ ଅନୁଯାୟୀ କରୋନା ସୁରକ୍ଷା ପ୍ରୋଟୋକଲଗୁଡିକର ଉଲ୍ଲଂଘନ କରୁଥିବା ଦୋକାନୀର ବାଣିଜ୍ୟ ଲାଇସେନ୍ସକୁ ସିଲ୍ କରିପାରିବେ କିମ୍ବା ସ୍ଥଗିତ / ବାତିଲ କରିପାରିବେ।

  • ଉପରୋକ୍ତ ନିର୍ଦ୍ଦେଶନାମା ସହିତ ଦୈନିକ ହାଟ / ମାର୍କେଟ / ମାଛ ବଜାର ଦୋକାନୀ ଏବଂ କ୍ରେତାମାନଙ୍କ ମଧ୍ୟରେ ସର୍ବନିମ୍ନ ଛଅ ଫୁଟ ଦୂରତା ବଜାୟ ରହିବ। ଦୁଇଟି ଦୋକାନ ମଧ୍ୟରେ କୋଡ଼ିଏ ଫୁଟର ବ୍ୟବଧାନ ବଜାୟ ରହିବ। ବ୍ୟବସାୟ ସମୟରେ କରୋନା ସୁରକ୍ଷା ପ୍ରୋଟୋକଲର ପାଳନକୁ ନିଶ୍ଚିତ କରିବା ପାଇଁ କ୍ରେତାମାନଙ୍କ ପାଇଁ ସ୍ପେସ୍ ମାର୍କିଂ ରଖିବା ଦୋକାନୀଙ୍କ ଦାୟିତ୍ବ ହେବ।
  • ହୋଟେଲ / ରେ‌ସ୍ତୋରାଁ କରୋନା ପ୍ରୋଟୋକଲଗୁଡିକର ଅନୁପାଳନ ଅନୁଯାୟୀ ହୋଟେଲ ଏବଂ ଏହାର ରେ‌ସ୍ତୋରାଁ ଭିତରେ ବାହାର ଲୋକଙ୍କୁ ଭୋଜନ କରିବାକୁ ଅନୁମତି ଦେବେ ନାହିଁ। ସେହିଭଳି କୌଣସି ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ନିଜ ଷ୍ଟଲ ଆଗରେ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବେ ନାହିଁ। ହେଲେ ଲୋକେ ଖାଦ୍ୟ ପ୍ୟାକ କରି ନେଇପାରିବେ।
  • courtesy – hurriyetdailynews.com
  •  କମ୍ ସଂଖ୍ୟକ ଗ୍ରାହକଙ୍କ ସହିତ ମଲ୍ ଚାଲିବ। ମଲ୍ ମାଲିକ ନିଶ୍ଚିତ କରିବେ ଯେ ମଲ୍ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିମାନଙ୍କ ତାପମାତ୍ରା ଯାଞ୍ଚ, ମାସ୍କର ସଠିକ୍ ବ୍ୟବହାର ଏବଂ ସାମାଜିକ ଦୂରତା ନିୟମ ପାଳନ କରାଯାଉଛି। ମଲକୁ ଆସି ଲୋକ ଖାଦ୍ୟ ପ୍ୟାକ କରି ନେଇପାରିବେ। ମଲ୍ ପରିସରରେ ଖାଦ୍ୟ ଗ୍ରହଣ / ଖାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ମଲରେ ଥିବା ଦୋକାନ ଏବଂ ସାଧାରଣ ଅଞ୍ଚଳରେ କୌଣସି ସମୟରେ ଅଧିକ ପରିମାଣରେ ଭିଡ଼ ନହେବା ନେଇ ନିଶ୍ଚିତ କରିବା ମଲର ମାଲିକଙ୍କ ଦାୟିତ୍ୱ ହେବ।

 

Comments are closed.