ଆଜି ଭୁବନେଶ୍ବରରେ ୪୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୧୭

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ୪୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ ଏହା ୪୦୦ ତଳକୁ ରହିଥିଲା। ଗତକାଲି ଅର୍ଥାତ୍‌ ଅପ୍ରିଲ୍‌ ୧୬ରେ ଭୁବନେଶ୍ବରରେ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅପ୍ରିଲ ୧୫ରେ ୩୭୯ ଜଣ ଓ ଅପ୍ରିଲ ୧୪ତାରିଖରେ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜଧାନୀ ଭୁବନେଶ୍ବରରେ କରୋନା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ରାଜଧାନୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ବରରେ ନାଇଟ୍‌ କର୍ଫ୍ୟୁ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ କମିଶନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବରରେ ୧୪୪ ଧାରା ଜାରି କରାଯାଇଛି। ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ କେବଳ ବାହାରେ ଯାତାୟତ କରିପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ‌ପୁଲିସକୁ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ବୋଲି କମିଶନରେଟ୍‌ ପୁଲିସ ସୂଚନା ଦେଇଛି।

ଆଜି ଭୁବନେଶ୍ବରରୁ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୯୧ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍ ୩୬୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୫ ହଜାର ୩୪୧ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୨ ହଜାର ୭୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ହଜାର ୩୧୫ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ଭୁବନେଶ୍ବରରେ ୧୧୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବରମୁଣ୍ଡା, ବରଗଡ଼, ନୟାପଲ୍ଲୀ, ମଞ୍ଚେଶ୍ବର, ଖଣ୍ଡଗିରି, ପୋଖରିପୁଟ, ପାତ୍ରପଡ଼ା, ପଟିଆ, ଲକ୍ଷ୍ମୀସାଗର, ସାମନ୍ତରାପୁର, ସୁନ୍ଦରପଦା, ଶୈଳଶ୍ରୀବିହାର ଆଦିରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.