ରାଜ୍ୟରେ ୫ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି କୋଭିଡ୍‌ ପରୀକ୍ଷା, ଦୈନିକ ଟେଷ୍ଟିଂ କ୍ଷମତା ୨୦,୦୦୦

ଭୁବନେଶ୍ୱର: ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ପ୍ରତିହତ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇତି ମଧ୍ୟରେ ୨୮ ଜଣ ପ୍ଲାଜ୍‌ମା ଦାତାଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇଛି । ଏହି ଥେରାପିରେ ୩୩ ଜଣଙ୍କୁ ପ୍ଲାଜ୍‌ମା ଦିଆଯାଇଥିବାବେଳେ ୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅବଶିଷ୍ଟ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ଏସ୍‌.ସି.ବି ମେଡିକାଲ କଲେଜ, କଟକ ଏବଂ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପ୍ଲାଜ୍‌ମା ବ୍ୟାଙ୍କ କାର୍ଯ୍ୟକ୍ଷମ ଥିବାବେଳେ ଆଇଜିଏଚ୍‌, ରାଉର୍‌କେଲାରେ ଏହା ଖୁବ୍‌ଶୀଘ୍ର କାର୍ଯ୍ୟାରମ୍ଭ
କୋଭିଡ୍‌ ପରୀକ୍ଷଣ କରାଇବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଆଜି ରାଜ୍ୟରେ କୋଭିଡ୍‌ ପରୀକ୍ଷା ୫ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ପରୀକ୍ଷଣରେ ନିୟୋଜିତ କୋଭିଡ୍‌ ଯୋଦ୍ଧା ଯଥା-ଲାବୋରେଟୋରୀ ଆସିଷ୍ଟାଣ୍ଟ, ଘରକୁ ଘର ବୁଲି ନମୁନା ସଂଗ୍ରହରେ ସହଯୋଗ କରୁଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ପ୍ରଶଂସନୀୟ ଭୂମିକା ଯୋଗୁଁ ଏହା ସମ୍ଭବ ହୋଇଛି ।
ପ୍ରଥମେ ଓଡ଼ିଶାରେ କେବଳ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌.ଏମ୍‌.ଆର୍‌.ସି.)ରେ କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏବେ ରାଜ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ମୋଟ୍‌ ୫୪ଟି ପରୀକ୍ଷଣ କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି । ବିଭିନ୍ନ ଜିଲ୍ଲା ଡାକ୍ତରଖାନାରେ ଟ୍ରୁନାଟ ଟେଷ୍ଟିଂ, ଆର୍‌.ଟି.ପି.ସି.ଆର୍‌ ଟେଷ୍ଟିଂ, ଆଣ୍ଟିଜେନ୍‌ ଟେଷ୍ଟିଂ ସିବିନାଟ୍‌ ଭଳି ଟେଷ୍ଟିଂ କରାଯାଉଛି । ପ୍ରଥମ ୧ ଲକ୍ଷ ପରୀକ୍ଷା ପାଇଁ ୧୦ ସପ୍ତାହ ଲାଗିଥିବାବେଳେ ଶେଷ ୧ ଲକ୍ଷ ପରୀକ୍ଷା ମାତ୍ର ୧୦ ଦିନରେ ହୋଇପାରିଛି ।
ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏବେ ସରକାର ଦୈନିକ ୨୦,୦୦୦ ଟେଷ୍ଟିଂ କରିବାର କ୍ଷମତା ରଖୁଛନ୍ତି । ଯେତେଶୀଘ୍ର ସଂକମିତ ବ୍ୟକ୍ତି ଚିହ୍ନଟ ହେବେ ଏବଂ ଲୋକମାନେ କୋଭିଡ୍‌ ପରୀକ୍ଷଣ ପାଇଁ ଆଗେଇ ଆସିବେ, ସେତେଶୀଘ୍ର ଚିକିିତ୍ସା କରାଯାଇ କରୋନା ସଂକ୍ରମଣକୁ ସଫଳତାର ସହ ମୁକାବିଲା କରାଯାଇପାରିବ ।
ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଳାରେ ୭ ଦିନରେ ମଧ୍ୟ ୧୦୦୦ନୂଆ ଶଯ୍ୟା ସଂଖ୍ୟା ପ୍ରସ୍ତୁତି ହୋଇପାରିଛି । ରାଜ୍ୟରେ କୋଭିଡ୍‌ ମୁକାବିଲା ପାଇଁ ଯଥେଷ୍ଟ ପରିମାଣରେ ଔଷଧ, ଅକ୍ସିଜେନ୍‌ ବ୍ୟବସ୍ଥା ଓ ଶଯ୍ୟା ରହିଛି ।
ଗଞ୍ଜାମ ଜିଲ୍ଲାରେ ଦୈନିକ ୧୫୦୦ ରୁ ୨୦୦୦ କୋଭିଡ ପରୀକ୍ଷା କରାଯାଉଛି । ଗତ ୩-୪ ଦିନ ଭିତରେ ଗଞ୍ଜାମରେ ସଂକ୍ରମିତଙ୍କ ଗତ କିଛି ଦିନର ବିଶ୍ଲେଷଣରୁ ଜଣାଯାଉଛି ଯେ, ସଂକ୍ରମିତଙ୍କ ସଂଖ୍ୟାର ୬୪ ପ୍ରତିଶତ ୪୦ ବର୍ଷରୁ କମ୍‌ ବୟସର ବ୍ୟକ୍ତି ଥିବାବେଳେ ମାତ୍ର ୭ ପ୍ରତିଶତ ବ୍ୟକ୍ତି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଅଟନ୍ତି । ଅଧିକାଂଶ ସଂକ୍ରମିତ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ସଂକ୍ରମିତ ହୋଇଛନ୍ତି । ତେଣୁ ସମସ୍ତେ ସାମାଜିକ ଦୂରତା ରକ୍ଷା, ମାସ୍କ ବାନ୍ଧିବା, ହାତ ଧୋଇବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରଖିବା ଆବଶ୍ୟକ ।
କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ରାଜ୍ୟର ପ୍ରଥମ ମହିଳା ଭାବେ ଜଣେ ଡାକ୍ତରୀ ଛାତ୍ରୀ ପ୍ଲାଜ୍‌ମା ଦାନ କରଛନ୍ତି । ଏସ୍‌ସିବି ପ୍ଲାଜ୍‌ମା ବ୍ୟାଙ୍କରେ ଡାକ୍ତରମାନଙ୍କ ଉପସ୍ଥିତିରେ ସେ ପ୍ଲାଜ୍‌ମା ଦାନ କରିଥିଲେ । କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଏହି କୋଭିଡ୍‌ ଯୋଦ୍ଧାଙ୍କ ଉତ୍ସାହ ଓ ଉଦ୍ୟମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଭୁବନେଶ୍ୱରର କୋଭିଡ୍‌ ପର୍ଯ୍ୟବେକ୍ଷକ, ଅନ୍ୟାନ୍ୟ ପଦାଧିକାରୀ ଓ ସଚେତକଙ୍କ ଦଳ ବିଶେ୍ୱଶ୍ୱରୀ ବସ୍ତି ପରିଦର୍ଶନ କରି ୱାର୍ଡସ୍ତରୀୟ କର୍ମକର୍ତ୍ତା ଏବଂ ବସ୍ତିବାସିନ୍ଦାଙ୍କ ସହିତ ମତବିନିମୟ କରିଛନ୍ତି । କୋଭିଡ୍‌ ମାର୍ଗଦର୍ଶିକା ସଂପର୍କିତ ସଚେତନତାକୁ ଜୋରଦାର କରାଯାଇଛି ।

Comments are closed.