ବେତନଟୀରେ କୋଭିଡ ଔଷଧ ବିକ୍ରୟ ନିମନ୍ତେ ମିଳିଲା ଅନୁମତି

ବେତନଟୀ: ସମଗ୍ର ମୟୂରଭଞ୍ଜ ଜିଲାରେ ମହାମାରୀ କୋଭିଡ-୧୯ର ଔଷଧ ବିକ୍ରୟ ନିମନ୍ତେ ୬ଟି ଔଷଧ ଦୋକାନକୁ ଅନୁମତି ମିଳିଥିବା ବେଳେ ଅସନ୍ତୋଷ ସୃଷ୍ଟି ହେବାରୁ ଓ ଏ ସମ୍ପର୍କରେ ଦୈନିକ ସମାଜରେ ଖବର ପ୍ରସାରଣ ପରେ ଜିଲାରେ ଅନ୍ୟ କେତୋଟି ଔଷଧ ଦୋକାନରେ ଏହି ଔଷଧ ଉପଲବ୍ଧ ହେବାର ଅନୁମତି ମିଳିଛି। ସେଥି ମଧ୍ୟରୁ ବେତନଟୀ ବ୍ଲକ ନିମନ୍ତେ ଚଣ୍ଡିମନ୍ଦିର ଛକ ନିକଟରେ ଥିବା ଲକ୍ଷ୍ମୀ ମେଡିକାଲ ଷ୍ଟୋରକୁ ଏହି ଅନୁମତି ଜିଲା ଡ୍ରଗ ଇନସପେକ୍ଟର ରୁଦ୍ର ନାରାୟଣ ସାହୁ ପ୍ରଦାନ କରିଛନ୍ତି ବୋଲି ଲକ୍ଷ୍ମୀ ଷ୍ଟୋର ମାଲିକ ପ୍ରମୋଦ କୁମାର ମହାନ୍ତ ପ୍ରକାଶ କରିଛନ୍ତି। ରାଜ୍ୟ ଡ୍ରଗ ନିୟନ୍ତ୍ରଣ ବିଭାଗ ପକ୍ଷରୁ କୋଭିଡ-୧୯ ଔଷଧ ବିକ୍ରି କରିବାକୁ ଅନୁମତି ମିଳିଥିବା ବେଳେ ଏହି ଔଷଧ କାହାକୁ କିପରି ସମ୍ପୃକ୍ତ ମେଡିକାଲ ଷ୍ଟୋର ପ୍ରଦାନ କରିବ ତାହାର ଏକ ଗାଇଡଲାଇନ ମଧ୍ୟ ଆସିଥିବା ଜଣାଯାଇଛି।ଏହି ଔଷଧ ରୋଗି କିମ୍ବା ସହଯୋଗୀଙ୍କୁ ପ୍ରଦାନ କରାଯିବ ମାତ୍ର ଇଞ୍ଜେକ୍ସନ ନେବା ରୋଗିଙ୍କୁ ସରକାରୀ କିମ୍ବା ଘରୋଇ ଡାକ୍ତରଖାନାରେ ପ୍ରଦାନ କରିବାର ନିୟମ ରହିଛି। ଏହି ଔଷଧର ପ୍ରେସକ୍ରିପସନ ବିଶେଷଜ୍ଞ, ସରକାରୀ ଡାକ୍ତର ଅଥବା ଘରୋଇ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯିବାର ନିୟମ ରହିଛି। ଏହି ଔଷଧ ରୋଗିଙ୍କୁ ପ୍ରଦାନ କରାଯିବା ସମୟରେ ସେମାନଙ୍କ ଉପଯୁକ୍ତ ଠିକଣା ସହିତ ମୋବାଇଲ ନମ୍ବର ଇତ୍ୟାଦି ରଖିବା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି। ବେତନଟୀରେ ଯେଭଳି ସଂକ୍ରମଣ ବଢିବାରେ ଲାଗିଛି ଏହାକୁ ରୋକିବା ନିମନ୍ତେ ଜିଲା ଡ୍ରଗ ଇନ୍ସପେକ୍ଟର ବେତନଟୀରେ ଲକ୍ଷ୍ମୀ ମେଡିକାଲ ଷ୍ଟୋରକୁ ଅନୁମତି ପ୍ରଦାନ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି।

Comments are closed.