କେମିତି ଚାଲିଛି କରୋନା ମୁକାବିଲା, କେନ୍ଦ୍ରର ବିଦେଶୀ ସହାୟତା ବଣ୍ଟନରେ ବିଳମ୍ବ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ନିମନ୍ତେ ବିଶ୍ବ ସମୁଦାୟ ପକ୍ଷରୁ ଭାରତକୁ ଯୋଗାଇ ଦିଆଯାଇଥିବା ସହାୟତାକୁ ଏବେ ଦେଶର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଡାକ୍ତରଖାନାକୁ ଏହିସବୁ ପଠାଯାଇଛି। ବିଶ୍ବ ସହାୟତା ପଠାଯାଇଥିବା ରାଜ୍ୟ ମଧ୍ୟରେ ଓଡିଶା ରହିଛି। କରୋନା ମହାମାରୀ ବିରୋଧୀ ଲଢେଇରେ ବିଶ୍ବ ସମୁଦାୟ ଭାରତକୁ ସହାୟତାର ହାତ ବଢାଇବା ପୂର୍ବକ ଡାକ୍ତରୀ ଯନ୍ତ୍ରାଂଶ, ଔଷଧ, ଅମ୍ଳଜାନ ସାନ୍ଧ୍ରକ, ଭେଣ୍ଟିଲେଟର ଆଦି ଯୋଗାଇ ଦେଉଛନ୍ତି। ବିଦେଶରୁ ଆସୁଥିବା ସହାୟତା ଓ ଅନୁଦାନକୁ ଗ୍ରହଣ କରିବା ଲାଗି ଏକ କମିଟି ଗଠନ କରାଯାଇଛି। ଜଣେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଏହାର ନେତୃତ୍ବ ନେଉଛନ୍ତି।

ଅନ୍ୟପଟେ ଭାରତକୁ ଯେଉଁ ବିଶ୍ବ ସହାୟତା ମିଳିଛି ତାକୁ ବଣ୍ଟନ କରିବାରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରିଥିବା ଜଣାଯାଇଛି। ଏପ୍ରିଲ ୨୫ରେ ଭାରତରେ ପ୍ରଥମ ବିଦେଶୀ ସହାୟତା ପହଞ୍ଚିଥିଲା। ସିଙ୍ଗାପୁର ସରକାର ପ୍ରଥମ କରି ପଠାଇଥିବା ଏହି ସହାୟତାକୁ ବୈଦେଶିକ ମନ୍ତ୍ରଣାଳୟ ଗ୍ରହଣ କରିଥିଲା। କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଆସିଥିବା ଔଷଧ ଓ ଜୀବନ ରକ୍ଷାକାରୀ ସାମଗ୍ରୀର ବଣ୍ଟନ ଲାଗି ଆବଶ୍ୟକ ନିୟମ ସାଧାରଣ ପରିଚାଳନା ପ୍ରକ୍ରିୟା (ଏସଓପି) ପ୍ରସ୍ତୁତ କରିବାକୁ ସରକାରଙ୍କୁ ୭ଦିନ ଲାଗି ଯାଇଥିଲା। ଔଷଧ ଓ ଅମ୍ଳଜାନ ଅଭାବରୁ ଡାକ୍ତରଖାନାରେ ଲୋକେ ପ୍ରାଣ ହରାଉଥିବାବେଳେ ବର୍ହିଶୁଳ୍କ ବିଭାଗରେ ୩୦୦୦ ଅମ୍ଳଜାନ ସାନ୍ଧ୍ରକ ଓ ରେମଡେସିଭିର ଇଞ୍ଜେକସନ୍‌ ପଡି ରହିଥିଲା।

ତେବେ ଏପରି ଅଭିଯୋଗକୁ ସରକାର ଅଗ୍ରାହ୍ୟ କରିଛନ୍ତି। ମେ ୨ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଏସଓପି ଜାରି କରାଯିବା ପରେ ବିଦେଶରୁ ଆସିଥିବା ସହାୟତାକୁ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଥିଲା। ଏଚଏଲଏଲ୍‌ ଲାଇଫକେୟାର ଏହିସବୁ ସାମଗ୍ରୀର ବଣ୍ଟନ ପାଇଁ ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ଭାରତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ଅଭାବ ପୂରଣ ଲାଗି ଜର୍ମାନୀ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର (ପ୍ଲାଣ୍ଟ) ପଠାଇଛି। ଏହି ଅମ୍ଳଜାନ ଉତ୍ପାଦନ କେନ୍ଦ୍ରର ପରିଚାଳନା ପାଇଁ ଜର୍ମାନୀ ୧୨ ଜଣିଆ ସ୍ବାସ୍ଥ୍ୟ କର୍ମଚାରୀ ଦଳ ପଠାଇଛି। ଏହି ସ୍ବାସ୍ଥ୍ୟ କର୍ମଚାରୀମାନେ ଭାରତୀୟ ଡାକ୍ତରୀ କର୍ମଚାରୀ ଓ ବିଶେଷଜ୍ଞଙ୍କୁ ଉତ୍ପାଦନ କେନ୍ଦ୍ର ପରିଚାଳନାରେ ସହଯୋଗ କରିବେ ବୋଲି ଭାରତସ୍ଥିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର କହିଛନ୍ତି।

Comments are closed.