ଶୀତ ଦିନେ ଆସିପାରେ କରୋନାର ଦ୍ବିତୀୟ ଲହର, ସତର୍କ ରହିବାକୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ଚେତାବନୀ

ବିଶ୍ଵରେ କରୋନା ଭୂତାଣୁ ଚିହ୍ନଟ ହେବା ଓ ସଂକ୍ରମଣ ଆରମ୍ଭ ହେବା ପ୍ରାୟ ବର୍ଷେ ପୂରିବାକୁ ଯାଉଛି । ଇତି ମଧ୍ୟରେ ଦୁଇଟି ଋତୁ ଗ୍ରୀଷ୍ମ ଓ ବର୍ଷା ଅତିକ୍ରମ କରି ସାରିଛି । ଆଗକୁ ଶୀତ ଋତୁ ଆସୁଛି । ଶୀତ ଦିନେ କରୋନାର ରୂପ କିପରି ରହିବ ତାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଗବେଷକମାନେ ଚିନ୍ତିତ । ଏହି ସ୍ଥିତିରେ ଥଣ୍ଡା ଦିନରେ ବା ଅତ୍ୟଧିକ ଶୀତଳ ସ୍ଥିତିରେ କରୋନା ଭୂତାଣୁ ମରିଯାଏ ବୋଲି ଭୂଲ ଧାରଣାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ । କରୋନା ଭୂତାଣୁ ଉପରେ କୌଣସି ପାଗ ବା ଋତୁ ବା ତାପମାତ୍ରା କୌଣସି ପ୍ରଭାବ ପକାଇଆାକୁ ସକ୍ଷମ ହୋଇ ନାହିଁ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । ଅବଶ୍ୟ ଶୀତ ଅପେକ୍ଷା ମୌସୁମୀରେ କରୋନା ଭୂତାଣୁ ଅଧିକ ସକ୍ରିୟ ହୋଇଥାଆନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ପାଣିପାଗ ସହ କରୋନାର କୌଣସି ସମ୍ପର୍କ ନାହିଁ । ତେବେ ଶୀତଦିନେ ଜୀବାଣୁ ସମ୍ବନ୍ଧୀୟ ରୋଗ ଓ ଶ୍ଵାସକ୍ରିୟାରେ ସମସ୍ୟା ଜନିତ ରୋଗରେ ଲୋକମାନେ ଅଧିକ ପୀଡ଼ିତ ହେଉଥିବାରୁ କରୋନାର ଦ୍ବିତୀୟ ଲହର ଶୀତଦିନେ ଆସିପାରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

ଇଂରାଜୀ ସମ୍ବାଦପତ୍ର  ଇଣ୍ଡିଆନ୍ ଏକ୍ସପ୍ରେସକୁ   ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ଉପନିର୍ଦେଶକ  ପ୍ରଫେସର ଇଆନ୍ ବାର୍ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ  ଇନ୍‌ଫ୍ଲୁଏଞ୍ଜା ଏବଂ ନିଶ୍ୱାସ ପ୍ରଶ୍ୱାସ ଭଳି ଅନ୍ୟ ରୋଗରେ ଦେଖାଯାଉଥିବା କୋଭିଡ -୧୯  ଏବଂ ପାଗ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ ସମ୍ପର୍କ ପ୍ରମାଣିତ ହୋଇନାହିଁ । ତଥାପି ଭାରତ ପରି ଅନେକ ସ୍ଥାନରେ ଶୀତ ଋତୁରେ ଇନଫ୍ଲୁଏନ୍ଜା ପରି ରୋଗ ବିସ୍ତାର କରୁଥିବାରୁ ଏଥିପାଇଁ ସତର୍କ ରହିବା ଆବଶ୍ୟକ ଅଛି । କରୋନା ସଂକ୍ରମଣ ନିମନ୍ତେ କୌଣସି ଋତୁ କିଛି ଗୁରୁତ୍ଵ ବହନ କରେ ନାହିଁ । ପାଶ୍ଚାତ୍ୟ ଦେଶଗୁଡିକରେ ଥଣ୍ଡା ଅତ୍ୟଧିକ ଭୟଙ୍କର ଏବଂ ଲୋକମାନେ ଘରେ ରୁହନ୍ତି । ଏପରି ପରିସ୍ଥିତିରେ, ଯଦି ଥରେ କରୋନା ଭୂତାଣୁ ଘରେ ପ୍ରବେଶ କରେ, ତେବେ ଏକାଠି ରହୁଥିବା ସମସ୍ତ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । କିନ୍ତୁ ଭାରତ କ୍ଷେତ୍ରରେ ଏହା କେତେ ପ୍ରାସଙ୍ଗିକ ତାହା ଆଗୁଆ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ପୂର୍ବତନ ଡେପୁଟି ଡାଇରେକ୍ଟର ଡକ୍ଟର ଏମ୍.ଏସ୍ ଚାଧା କହିଛନ୍ତି ଯେ  ଭାରତର ଲୋକମାନେ ସବୁବେଳେ ଘର ଭିତରେ ରହନ୍ତି ନାହିଁ। ସେମାନେ ବାହାରକୁ ଆସନ୍ତି, ଯାହା ଫଳରେ ଘରେ ଭଲ ବାୟୁ ଚଳାଚଳ ହୋଇଥାଏ । ଇନଫ୍ଲୁଏନ୍ଜା ଏକ ଶୀତକାଳୀନ ରୋଗ । ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଗତ ମେ-ଜୁନ ମାସରେ ଶୀତ ଋତୁ ଚାଲିଥିଲା, ଏହି ସମୟରେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ଥିଲା । ମାତ୍ର ସେପରି କିଛି ଘଟିଥିବା ସୂଚନା ମିଳିନାହିଁ କିମ୍ବା ସ୍ବାଇନ ଫ୍ଲୁ ରୋଗ ଦେଖାଯାଇ ନାହିଁ । ସେମାନେ ସାମାଜିକ ଦୂରତା ରଖୁଥିଲେ,  ଯାହା ଫଳରେ କରୋନା ସଂକ୍ରମଣ ରୋକାଯାଇ ପାରିଥିଲା ଓ ପୂର୍ବ ବର୍ଷ ଅପେକ୍ଷା ଫ୍ଲୁ ମଧ୍ୟ ହ୍ରାସ ପାଇଥିଲା।  ଶୀତ ଦିନେ କରୋନା ଦ୍ବିତୀୟ ତରଙ୍ଗ ଆସିବା ଅସମ୍ଭବ ନୁହେଁ, ମାତ୍ର ସାମାଜିକ ଦୂରତା, ମାସ୍କ ପରିଧାନ ଓ ଅନ୍ୟାନ୍ୟ ସଚେତନତା ରଖିଲେ ଏହାକୁ ରୋକିବା ସମ୍ଭବ ବୋଲି ଏମ.ଏସ.ଚାଧା କହିଛନ୍ତି ।

Comments are closed.