ପାର୍ବଣ ପାଇଁ କେନ୍ଦ୍ରର କୋଭିଡ ମାର୍ଗଦର୍ଶିକା : ୫%ରୁ ଅଧିକ ଆକ୍ରାନ୍ତ ଅଞ୍ଚଳରେ ସମାଗମ ବନ୍ଦ

ନୂଆଦିଲ୍ଲୀ : ଆଗାମୀ ଉତ୍ସବ ଋତୁ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଉତ୍ସବ ପାଳନ ସମୟରେ ଯେଉଁସବୁ ଅଞ୍ଚଳରେ ସଂକ୍ରମଣ ହାର ୫%ରୁ ଅଧିକ ରହିଥିବ ସେଠାରେ ଜନସମାଗମକୁ ଅନୁମତି ଦିଆଯିବ ନାହିଁ। ସେହିପରି ନିଷିଦ୍ଧାଞ୍ଚଳ (କଣ୍ଟେନମେଣ୍ଟ ଜୋନ୍‌) ଚିହ୍ନଟ ହୋଇଥିବା ଅଞ୍ଚଳରେ ଜନସମାଗମ ହୋଇପାରିବ ନାହିଁ। ଜନସମାଗମ ନିମନ୍ତେ ଆଗୁଆ ଅନୁମତି ନେବାକୁ ହେବ। ଆଉ ୫%ରୁ କମ୍ ସଂକ୍ରମଣ ଥିବା ଅଞ୍ଚଳ​‌ରେ ହିଁ ସମାବେଶ ଲାଗି ଅନୁମତି ଦିଆଯିବ। ଦୈନିକ ଓ ସାପ୍ତାହିକ ସଂକ୍ରମଣ ହାରକୁ ଆଧାର କରି କଟକଣା ଲାଗୁ କରାଯିବ। କେନ୍ଦ୍ରର ମାର୍ଗଦର୍ଶିକା ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଘୋଷଣା କରି କହିଛନ୍ତି ଯେ ଦେଶରେ ଏବେ ସୁଦ୍ଧା କରୋନାର ଦ୍ବିତୀୟ ଲହର ଶେଷ ହୋଇ ନାହିଁ। ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ବୃଦ୍ଧି ପାଉଛି। ଦେଶର ୩୩ଟି ଜିଲାରେ ସଂକ୍ରମଣ ହାର ୧୦%ରୁ ଅଧିକ ରହିଛି।
ଅନ୍ୟପକ୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ କରୋନା ଟିକା ଦେବାର ସୁବିଧା ସମ୍ପର୍କରେ କେନ୍ଦ୍ର ସରକାର ଗୁରୁବାର ଘୋଷଣା କରିଛନ୍ତି। ଭିନ୍ନକ୍ଷମ ଏବଂ ଯେଉଁମାନଙ୍କ ଚଳପ୍ରଚଳ ଉପରେ ଡାକ୍ତରୀ କଟକଣା ରହିଛି ସେମାନଙ୍କୁ ଘରେ ଟିକା ଦେବାର ସୁବିଧା ସହିତ ଅନ୍ୟାନ୍ୟ କରୋନା ସେବା ଘରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଭିନ୍ନକ୍ଷମଙ୍କୁ ଘରେ କିମ୍ବା ନିକଟସ୍ଥ ଟିକା କେନ୍ଦ୍ରରେ ଟିକା ଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମହାରାଷ୍ଟ୍ର ସରକାର ମୁମ୍ବଇରେ ଘରକୁ ଘର ଯାଇ ଟିକା ଦେବାର ସୁବିଧା କରିଥିବାବେଳେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ମୁମ୍ବଇରେ ଶଯ୍ୟାଶାୟୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଘରକୁ ଯାଇ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଦେଶର ୬୬% ପ୍ରତିଶତ ବ୍ୟକ୍ତି ଗୋଟିଏ ଲେଖାଏଁ ପାନ ଟିକା ନେଇ ସାରିଲେଣି। ସେହିପରି ୨୩% ଲୋକ ଦୁଇଟି ପାନ ଟିକା ନେଇ ସାରିଲେଣି ବୋଲି ନିତି ଆୟୋଗ ସଦସ୍ୟ ଭିକେ ପଲ୍‌ କହିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ପୁଣିଥରେ ୩୦ହଜାର ଉପରକୁ ବୃଦ୍ଧି ପାଇଛି।

Comments are closed.