ବିବାହ ଉତ୍ସବରେ କୋଭିଡ୍‍-୧୯ ନିୟମ ଉଲଙ୍ଘନ; ରନ୍ଧା ଖାଦ୍ୟ ଜବତ

ପିପିଲି : ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ନିକଟ ପାତ୍ରସାହିରେ ମଙ୍ଗଳବାର ଏକ ବିବାହ ଭୋଜିରେ ସରକାରଙ୍କ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ପିପିଲି ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ଚଢାଉ କରି ୫ଶହ ଲୋକଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟକୁ ଜବତ କରିଥିବା ବେଳେ ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ନିଜିଗଡକୁରୁଖି ପାତ୍ରସାହିର ଗଣେଶ ପାତ୍ରଙ୍କ ପୁଅର ବିବାହ ଉତ୍ସବର ଭୋଜି ଆଜି ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ତେବେ ସେଠାରେ ସରକାରଙ୍କ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ସଂପୂର୍ଣ୍ଣ ଉଲଙ୍ଘନ କରାଯାଉଥିବା ନେଇ ଅଭିଯୋଗ ହେବାରୁ ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିବା ଓ କୋଭିଡ୍‍-୧୯ ଗାଇଡ୍‍ଲାଇନ୍‍କୁ ଉଲଂଘନ କରାଯାଉଥିବା ପରିଲକ୍ଷିତ ହୋଇଥିଲା। କେହି ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତ୍ୱକୁ ସେଠାରେ କେହି ମାନିନଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରେ ତହସିଲଦାର ଶ୍ରୀନନ୍ଦ ଓ ଆଇଆଇସି ସେଠାରେ ଚଢାଉ କରି ୫ଶହ ଲୋକଙ୍କ ପାଇଁ ରନ୍ଧାଯାଇଥିବା ଖାଦ୍ୟକୁ ଜବତ କରିଥିଲେ। ତହସିଲଦାରଙ୍କ ରିପୋର୍ଟ ଉପରେ ପିପିଲି ପୁଲିସରେ ଗଣେଶ ପାତ୍ରଙ୍କ ନାମରେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି।

Comments are closed.