ଆଇପିଏଲ୍‌ ଆକାଶରେ କରୋନାର କଳାବାଦଲ

ମୁମ୍ବଇ ସହରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଆଶଙ୍କା,-ୱାଙ୍ଖେଡ଼େର ୧୦ କର୍ମଚାରୀ; ୭ ସେବା ପ୍ରଦାନକାରୀ ସଂକ୍ରମିତ

ହାଇଦରାବାଦ, ଇନ୍ଦୋର ବିକଳ୍ପ ଷ୍ଟାଡିୟମ୍‌ ଭାବେ ପ୍ରସ୍ତୁତ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବଡ଼ ଓ ଧନଶାଳୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭହେବାକୁ ୫ ଦିନ ସମୟ ବାକିରହିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ମହାମାରୀ କରୋନା ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟିହୋଇଛି। ବିଶେଷକରି ମୁମ୍ବଇରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଆୟୋଜନ ନେଇ ଅନେକେ ସନ୍ଦିହାନ ଅଛନ୍ତି। ମ୍ୟାଚ୍‌ ଖେଳାଯିବାକୁ ଥିବା ୱାଙ୍ଖେଡ଼େ ଷ୍ଟାଡିୟମ୍‌ର ୧୦ ଜଣ ଗ୍ରାଉଣ୍ଡଷ୍ଟାଫ୍ କରୋନା ସଂକ୍ରମିତ ହୋଇଛନ୍ତି। ପୁଣି ଆଇପିଏଲ୍‌ରେ ସେବା ପ୍ରଦାନକାରୀ ସଂସ୍ଥା ଆଇଏମ୍‌ଜିର ୬ ଜଣ କର୍ମଚାରୀ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି। କେବଳ ଏତିକି ନୁହେଁ; ଦିଲ୍ଲୀ କ୍ୟାପିଟାଲ୍‌ସର ଅକ୍ଷର ପଟେଲ ଓ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ଜଣେ ଖେଳାଳି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ର ସହ ମୁମ୍ବଇର ସ୍ଥିତି ଉଦ୍‌ବେଗଜନକ ରହିଛି। କୌଣସି ସମୟରେ ମୁମ୍ବଇ ସହରକୁ ଲକ୍‌ଡାଉନ୍ ଘୋଷଣା କରା ଯାଇପାରେ ବୋଲି ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୂଚନା ଦେଇଛନ୍ତି।
ଚଳିତବର୍ଷର ଆଇପିଏଲ୍‌ ୬ଟି ସହରରେ ଆୟୋଜନ ହେବାକୁ ଥିବା ବେ‌େ‌ଳ ମୁମ୍ବଇ ଅନ୍ୟତମ ଆୟୋଜକ ସହର ରହିଛି। ଏଠାରେ ଏପ୍ରିଲ ୧୦ରୁ ୨୫ ମଧ୍ୟରେ ମୋଟ ୧୦ଟି ମ୍ୟାଚ୍‌ ଖେଳାଯିବ। ୧୦ରେ ସିଏସ୍‌କେ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଏଠାରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ତେବେ ୱା​‌େ​‌ଙ୍ଖଡ଼େ ଷ୍ଟାଡିୟମ୍‌ର ୧୦ ଜଣ ଗ୍ରାଉଣ୍ଡଷ୍ଟାଫ୍‌ କରୋନାରେ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ୮ ଜଣ କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ବେଳେ ଶନିବାର ଆଉ ୨ ଜଣ ଗ୍ରାଉଣ୍ଡଷ୍ଟାଫ୍‌ଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହି ୧୦ ଜଣଙ୍କୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ଏବଂ ସେମାନଙ୍କୁ କଡ଼ା ସଂଗରୋଧରେ ରହିବାକୁ କୁହାଯାଇଛି। କାନ୍ଦିଭାଲି ଷ୍ଟାଡିୟମ୍‌ରୁ କିଛି ଗ୍ରାଉଣ୍ଡଷ୍ଟାଫ୍‌ଙ୍କୁ ୱାଙ୍ଖେଡ଼େ ଡକାଯାଇଛି। ପୁଣି ଆଇପିଏଲ୍‌ରେ ସେବା ପ୍ରଦାନକାରୀ ସଂସ୍ଥାର ୭ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ସଂଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି।
ବର୍ତ୍ତମାନ ୪ଟି ଦଳ ମୁମ୍ବଇରେ ରହି ଅଭ୍ୟାସ କରୁଛନ୍ତି। ସେମାନେ ହେଲେ ଚେନ୍ନଇ ସୁପର କିଙ୍ଗ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ। ମୁମ୍ବଇ​‌େ​‌ର ଥିବା ସମସ୍ତ ଦଳଙ୍କୁ ୱାଙ୍ଖେଡ଼େ ଷ୍ଟାଡିୟମ୍‌ ନ ଆସିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ମୁମ୍ବଇ, ଚେନ୍ନଇ ଓ ବାଙ୍ଗାଲୋରରେ ମ୍ୟାଚ୍‌ ଆୟୋଜନ ନେଇ ବିସିସିଆଇ ଅଧିକାରୀ ନିଶ୍ଚିତ ନୁହନ୍ତି। କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ। ଏଥିପାଇଁ ବିସିସିଆଇ ଏବେ ଥିବା ୬ଟି ଷ୍ଟାଡିୟମ୍‌ ସହ ଆଉ ୨ଟି ଷ୍ଟାଡିୟମ୍‌- ହାଇଦବାରାଦ ଓ ଇନ୍ଦୋରକୁ ବିକଳ୍ପ ଷ୍ଟାଡିୟମ୍‌ ଭାବେ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛି। ହେଲେ ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଇପିଏଲ୍‌ର ୧୪ଶ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭହୋଇ ମେ’ ୩୦ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଗତବର୍ଷ ମଧ୍ୟ ଏହି ସମୟରେ ଭାରତରେ ଆଇପିଏଲ୍‌-୧୩ ଆୟୋଜନ ହେବା ନିର୍ଦ୍ଧାରିତ ହୋଇଥିଲେ ହେଁ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା। ପରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ସଫଳତାର ସହ ଆୟୋଜନ ହୋଇଥିଲା। ଶୁକ୍ରବାର ଦେଶରେ ୮୯,୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦେଶରେ ଏବେ ୬୫୮,୯୦୯ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି।

Comments are closed.