କୋଭିଡ୍‍ ଜନିତ ମୃତ୍ୟୁ ଗଣନା ପଦ୍ଧତି ନେଇ ଭାରତର ଆପତ୍ତି

ଡେସ୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭିଡ୍‍ ଜନିତ ମୃତ୍ୟୁ ଗଣନା ଲାଗି ପ୍ରସ୍ତୁତ କରାଯାଇଥିବା କୌଶଳ ଓ ପଦ୍ଧତି ନେଇ ଭାରତ ଆପତ୍ତି ଉଠାଇଛି। ଏକ ଆମେରିକୀୟ ପତ୍ରିକାରେ ପ୍ରକାଶିତ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ୍‍ ଜନିତ ମୃତ୍ୟୁକୁ ସାର୍ବଜନୀନ କରିବା କ୍ଷେତ୍ରରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କ୍ରମାଗତ ଭାବେ ବୈଷୟିକ ସହଯୋଗ କରିଆସୁଛି। ପ୍ରକାଶିତ ଖବରରେ କୁହାଯାଇଛି ଯେ କୋଭିଡ୍‍ ଜନିତ ମୃତ୍ୟୁ ସଂଖ୍ୟାକୁ ସାର୍ବଜନୀନ କରିବାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରୟାସରେ ଭାରତ ପ୍ରତିବନ୍ଧକ ସୃଷ୍ଟି କରିଛି।

ମନ୍ତ୍ରଣାଳୟ କହିଛି ଯେ କୋଭିଡ୍‍ ଜନିତ ମୃତ୍ୟୁ ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବା କ୍ଷେତ୍ରରେ ସରକାର ଦୁଇଟି ମାନଦଣ୍ଡ ଉପରେ ଜୋରଦେବା ନେଇ ଆପତ୍ତି ଉଠାଇ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ୬ଟି ପତ୍ର ଲେଖିଛନ୍ତି। ଅନ୍ୟ ପକ୍ଷରେ ଭାରତ କହିଛି, ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭିଡ୍‍ ମୃତ୍ୟୁ ସଂଖ୍ୟା ସଂଗ୍ରହ କରିବା ନେଇ ନିର୍ଭର ଯୋଗ୍ୟ ପଦ୍ଧତି ରହିଛି ତେବେ ଏହାକୁ ପ୍ରଥମ ଶ୍ରେଣୀ ଦେଶରେ ମଧ୍ୟ ଲାଗୁ କରାଯିବା ଉଚିତ୍‍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପରିସଂଖ୍ୟାନ ସଂଗ୍ରହ କରିବା ନେଇ ସମସ୍ତ ଦେଶକୁ ଦୁଇଟି ଭାଗରେ ବିଭକ୍ତ କରିଛି।

Comments are closed.