ଲକ୍ଷାଧିକଙ୍କ ମନ ଜିଣୁଛି ‘କୋଭିଡ୍‌-ଡାସବୋର୍ଡ’

ଭୁବନେଶ୍ୱର: କରୋନା ମହାମାରୀ ମୁକାବିଲାରେ କେବଳ ଯେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧା ପ୍ରଭୃତିଙ୍କ ଗୁରୁ ଦାୟିତ୍ୱ ରହିଛି ତାହା ନୁହେଁ, ଆଧୁନିକ ଜ୍ଞାନକୌଶଳର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁ ଲକ୍ଷ୍ୟ ନେଇ ମେ’ ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଧୁନିକ ଜ୍ଞାନକୌଶଳର ଉପଯୋଗିତା କରି ‘କୋଭିଡ-ଡାସବୋର୍ଡ’ର ଶୁଭାରମ୍ଭ କରିଥିଲେ ତାହା ଏବେ ଲକ୍ଷାଧିକ ଲୋକଙ୍କ ମନ ଜିଣୁଛି। ଏହାକୁ କେବଳ ରାଜ୍ୟ ଭିତରର କିମ୍ବା ଭାରତୀୟ ଲୋକେ ବ୍ୟବହାର କରୁଛନ୍ତି ତାହା ନୁହେଁ, ବିଦେଶରେ ଥିବା ଲୋକ ମଧ୍ୟ ଏହାର ଫାଇଦା ଉଠାଇ ପାରୁଛନ୍ତି ବୋଲି ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ଗତ ୨୨ତାରିଖରୁ ଜୁନ୍‍ ୧୪ ତାରିଖ ଅର୍ଥାତ ତିନି ସପ୍ତାହ ମଧ୍ୟରେ ରାଜ୍ୟର ୨ଲକ୍ଷ ୭୨ହଜାର ୭୩ଜଣ ଲୋକ ‘କୋଭିଡ-ଡାସବୋର୍ଡ’ ସହାୟତାରେ ସେମାନଙ୍କ କରୋନା (ନେଗେଟିଭ କିମ୍ବା ପଜିଟିଭ୍‍) ତଥ୍ୟ ଜାଣି ପାରିଛନ୍ତି। ଏଥିଯୋଗୁଁ ଲକ୍ଷାଧିକ ଲୋକଙ୍କୁ ଘରୁ ବାହାରକୁ ଆସିବାକୁ ପଡ଼ି ନ ଥିବାବେଳେ ସମୟର ମଧ୍ୟ ଅପଚୟ ହୋଇ ନାହିଁ କି ସଂକ୍ରମିତ ହେବାର ଅବକାଶ ମିଳିନାହିଁ। ଯଦି ଜଣେ ଲୋକ ଘରୁ ଏହି ତଥ୍ୟ ପାଇଁ ବାହାରକୁ ଆସିଥାନ୍ତା ତେବେ ତାକୁ କିଛି ସମୟ ଅପଚୟ କରିବା ସହିତ ଗାଡିର ବ୍ୟବହାର କରିବାକୁ ପଡ଼ିଥାନ୍ତା। ଏହାସହିତ ଗତ ତିନି ସପ୍ତାହ ହେଲା ରାଜ୍ୟରେ ସଂକ୍ରମଣ ହାର ଯେଭଳି ଶୀର୍ଷ ଛୁଇଁଥିଲା ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କାକୁ ଏଡାଯାଇ ନ ପାରେ। ଏହି ପରିପ୍ରେକ୍ଷୀରେ ଲୋକେ ଘରେ ବସି ନିଜ ରିପୋର୍ଟ ଦେଖି ସେହି ଅନୁସାରେ ଚିକିତ୍ସା ପଦ୍ଧତି ଆପଣାଇ ପାରିଛନ୍ତି। ଏହି ସମୟ ମଧ୍ୟରେ ୬୮.୮୪ ପ୍ରତିଶତ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥ୍ୟ ଦେଖିବା ପରେ ‘କୋଭିଡ-ଡାସବୋର୍ଡ’ ପେଜ୍‍ ଅଧାରୁ ଛାଡିଥିବା ବେଳେ ଜୁନ୍‍ ୭ରେ ସର୍ବାଧିକ ୨୮ହଜାର ଲୋକ ଏହାର ବ୍ୟବହାର କରିଛନ୍ତି।

ବିଭାଗର ତଥ୍ୟ କହୁଛି ଯେ ଏହି ଅବଧି ମଧ୍ୟରେ ସର୍ବାଧିକ ୧ଲକ୍ଷ ୬୪ହଜାର ୬୬୮ଜଣ ଭାରତୀୟ ଏହି ‘କୋଭିଡ-ଡାସବୋର୍ଡ’ ବ୍ୟବହାର କରିଥିବାବେଳେ ଆମେରିକାର ୬୮୮ଜଣ, ସିଙ୍ଗାପୁରର ୧୭୫, ଆରବ ଏମିରେଟର ୧୬୧, ବ୍ରିଟେନର ୧୨୦, ଜର୍ମାନୀର ୯୦, ଅଷ୍ଟ୍ରେଲିଆର ୭୯, ନେଦରଲ୍ୟାଣ୍ଡର ୬୪ ଏବଂ ଅନ୍ୟାନ୍ୟ ଦେଶର ୬୨ ଜଣ ଲୋକ ବ୍ୟବହାର କରିଛନ୍ତି। ସେହିପରି ୧ଲକ୍ଷ ୪୯ହଜାର ୭୨୫ଜଣ ମୋବାଇଲ ଜରିଆରେ ଡାସବୋର୍ଡ ବ୍ୟବହାର କରିଥିବାବେଳେ ଡେକ୍ସଟପ ଜରିଆରେ ୧୬ହଜାର ୫୫୧ ଜଣ ଏବଂ ଟାବଲେଟ ଜରିଆରେ ୪୭୪ଜଣ ତଥ୍ୟ ଦେଖିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୨ରେ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର କହିଥିଲେ ଯେ କରୋନାର ଏହି କଠିନ୍‍ ସମୟରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକେ ନିଜ ଘରେ ବସି ନିଜ ଟିପରେ ତଥ୍ୟ ଜାଣିବା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି ଏହି ପୋର୍ଟାଲ ଦ୍ୱାରା ଲୋକେ ଉପକୃତ ହେବେ ତେବେ ବିଭାଗର ପଦକ୍ଷେପ ନିଶ୍ଚିତ ଭାବେ ସଫଳ ହେଲା ବୋଲି ବୁଝିବା।

Comments are closed.